ହାଇକୋର୍ଟରେ ସଂଶୋଧିତ ମୋଟର ଯାନ ଆଇନକୁ ଚାଲେଞ୍ଜ୍‌: ୬ ମାସ ପରେ କ୍ଷତିପୂରଣ ଆବେଦନକୁ ନେଇ ପ୍ରଶ୍ନ

କଟକ : ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଦୁର୍ଘଟଣାର ୬ ମାସ ପରେ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ସଂପର୍କିତ କୌଣସି ଆବେଦନ ଗ୍ରହଣୀୟ ନୁହେଁ। ଯାହା ବି କାରଣ ଥାଉପଛେ, ଏ ସଂପର୍କିତ ଆଇନର ଉଦ୍ଦେଶ୍ୟ ଓ କାରଣରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। ସଂଶୋଧିତ ମୋଟର ଯାନ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଦାଖଲ ପ୍ରତିଜବାବରେ ଏପରି କଥା ଉଲ୍ଲେଖ କରାଯାଇଛି।

ପ୍ରତିଜବାବରେ ଦର୍ଶାଯାଇଛି ଯେ ଏହି ସଂଶୋଧିତ ଆଇନ ପ୍ରଣୟନ ହେବା ପୂର୍ବରୁ ସଂସଦର ଉଭୟ ସଦନରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ବେଳେ ଏହା ଠିକ୍ ନୁହେଁ। ଦୁର୍ଘଟଣା ଦିନର ୬ ମାସ ପରେ କ୍ଷତିପୂରଣ ଆବେଦନ ଗ୍ରହଣ ପ୍ରସଙ୍ଗରେ ଅଦାଲତ/ଟ୍ରିବୁନାଲଙ୍କ କ୍ଷମତା ପରିସର ଉପରେ କଟକଣା ଜାରି କରାଯିବା ଗ୍ରହଣୀୟ ନୁହେଁ। ୬ ମାସ ଅବଧି ପରେ ଉପଯୁକ୍ତ କାରଣ ଥାଇ କ୍ଷତିପୂରଣ ଆବେଦନ ଅଦାଲତ ଗ୍ରହଣ କରିବାପାଇଁ ବ୍ୟବସ୍ଥା ନ ରହିବା ପ୍ରସଙ୍ଗକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୩, ଜାନୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପ୍ରତିଜବାବର କପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆବେଦନକାରୀ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାମଲାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ହାଇକୋର୍ଟରେ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ମୋଟର ଯାନ ଆଇନ, ୧୯୮୮ ଦ୍ବାରା ଦେଶରେ ସଡକ ପରିବହନ ବ୍ୟବସ୍ଥା ପରିଚାଳିତ ହେଉଛି। ଏହି ଆଇନକୁ ୩୦ ବର୍ଷ ପରେ ବ୍ୟାପକ ଭାବେ ସଂଶୋଧନ କରାଯାଇଥିଲା। ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ସଂସଦରେ ଗୃହୀତ ‌ହେବାପରେ ଏ ନେଇ ୨୦୧୯, ଅଗଷ୍ଟ ୯ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯, ଜୁନ୍ ୨୪ରେ ମୋଟର ଯାନ (ସଂଶୋଧନ) ବିଲ୍, ୨୦୧୯କୁ କ୍ୟାବିନେଟ ଅନୁମୋଦନ କରିଥିଲା।୨୦୧୯, ଜୁଲାଇ ୨୩ରେ ଏହି ବିଲ୍ ଲୋକସଭାରେ ଗୃହୀତ ହେବାପରେ ୨୦୧୯, ଜୁଲାଇ ୩୧ରେ ରାଜ୍ୟସଭାରେ ଏହା ଗୃହୀତ ହୋଇ‌ଥିଲା। ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ପ୍ରଣୟନ ହେବା ପୂର୍ବରୁ ସଂସଦର ଉଭୟ ସଦନରେ ବିସ୍ତୃତ ଭାବେ ଏ ନେଇ ଆଲୋଚନା ହୋଇଥିଲା। ଏଭଳି ସ୍ଥିତିରେ ସଂଶୋଧିତ ମୋଟର ଯାନକୁ ଚାଲେଞ୍ଜ କରି ଦାୟର ଆବେଦନ ଗ୍ରହଣୀୟ ନୁହେଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର