ସଂଶୋଧିତ ମୋଟର ଯାନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ: ନଭେମ୍ବର ୯ ସୁଦ୍ଧା ପ୍ରତିଜବାବ ଦାଖଲ ନିର୍ଦ୍ଦେଶ

କଟକ : ସଂଶୋଧିତ ମୋଟର ଯାନ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ପ୍ରସଂଗକୁ ନେଇ ଦାୟର ମାମଲାରେ କେନ୍ଦ୍ର ସରକାରଙ୍କ ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ମହଲତ ପ୍ରଦାନ କରିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୋଟର ଯାନ ଆଇନର ଧାରା ୧୬୬(୩) ବିରୋଧରେ ଆଇନଜୀବୀ ଅନଙ୍ଗ କୁମାର ଓତା ଦାଖଲ କରିଥିବା ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଦୁର୍ଘଟଣାର ୬ ମାସ ପରେ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ସଂପର୍କିତ କୌଣସି ଆବେଦନ ଗ୍ରହଣୀୟ ନୁହେଁ। ୨୦୧୯ର ସଂ‌େଶାଧିତ ଆଇନ ଆସିବା ପୂର୍ବରୁ ବଳବତ୍ତର ଥିବା ମୋଟର ଯାନ ଆଇନରେ ଏଥି ପାଇଁ କୌଣସି ସମୟସୀମା ନଥିଲା। ମୋଟର ଯାନ ଆଇନ(ସଂଶୋଧନ), ୨୦୧୯ର ଧାରା ୫୩ ଜରିଆରେ ମୂଳ ଆଇନରେ ଧାରା ୧୬୬(୩) ଯୋଡା ଯାଇଥିଲା। ସଂ‌‌େଶାଧିତ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ୬ ମାସ ଧାର୍ଯ୍ୟ ପ୍ରସଂଗକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଆଇନ ମନ୍ତ୍ରାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ନିକଟରୁ ୨୦୨୧, ଜାନୁଆରି ୬ରେ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର