ଝଡ଼ ଆସିବ, ବିପର୍ଯ୍ୟୟ ଘଟିବନି

୨୦୧୮ ରାଜନୀତି ପାଇଁ ଜ୍ୟୋତିର୍ବିଦଙ୍କ ଗଣନା

କେନ୍ଦ୍ରରେ ମୋଦି, ରାଜ୍ୟରେ ନବୀନ ସୁରକ୍ଷିତ
କେନ୍ଦ୍ରରେ ରହିବେ ଧର୍ମେନ୍ଦ୍ର, ନିରଞ୍ଜନଙ୍କ ପ୍ରଭାବ ବଢ଼ିବ

ଭୁବନେଶ୍ୱର : ରାଜନୀତି ଜମିବ। ଆରୋପ-ପ୍ରତ୍ୟାରୋପ ଚାଲିବ। ଟକରା ଟକରି ହେବେ ପ୍ରମୁଖ ରାଜନୈତିକ ଦଳ। କିନ୍ତୁ ରାଜ୍ୟରେ ରାଜନୈତିକ ପାଣିପାଗରେ ବିରାଟ ପରିବର୍ତ୍ତନର ସମ୍ଭାବନା କମ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜାଗାରେ ସହିସଲାମତ ରହିବେ। ବର୍ତ୍ତମାନ ପାଇଁ ତାଙ୍କର ମୁଖ୍ୟ ବିରୋଧୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରତିଷ୍ଠା ଓ ପଦବି ଉପରେ ବି କିଛି ଆଞ୍ଚ୍‌ ଆସିବନି। ସେ ଯାହା ହେବେ, ସେହି କେନ୍ଦ୍ରରେ।

୨୦୧୮ର ରାଜନୈତିକ ପାଣିପାଗକୁ ନେଇ ଏମିତି ଅଙ୍କ କଷିଛନ୍ତି ଜ୍ୟୋତିର୍ବିଦ୍‌ମାନେ। କେବଳ ଓଡ଼ିଶା ନୁହେଁ, କେନ୍ଦ୍ରରେ ବି କିଛି ବଦଳିବାର ସମ୍ଭାବନା କ୍ଷୀଣ। ବିରୋଧୀ ସଶକ୍ତ ହେଲେ ମଧ୍ୟ ଶାସନ କଳରେ ପରିବର୍ତ୍ତନ ହେବ, ଏଭଳି ସଙ୍କେତ ମିଳୁନାହିଁ। ୨୦୧୮ରେ ନିର୍ବାଚନ ହେବା ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଥିଲେ ବି ଜ୍ୟୋତିର୍ବିଦ୍‌ମାନଙ୍କ ଗଣନା ଏହି ପ୍ରସଙ୍ଗରେ ସମାନ ହେଉ ନାହିଁ। କିନ୍ତୁ ନିର୍ବାଚନ ୨୦୧୮ରେ ହେଉ କି ୨୦୧୯ରେ, ଶାସନ ବ୍ୟବସ୍ଥା ବଦଳିବ ନାହିଁ ବୋଲି ସମସ୍ତେ ଏକମତ। ସରକାରଙ୍କୁ ନେଇ ବାଦବିବାଦ ଲାଗି ରହିଲେ ବି କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ଶାସନ ଜାରି ରହିବ ବୋଲି ଭବିଷ୍ୟବାଣୀ କରିଛନ୍ତି।

ଭୁବନେଶ୍ୱରର ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ଗଣନା କହୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାତକରେ ବର୍ତ୍ତମାନ କେତୁ ମହାଦଶାରେ ଶୁକ୍ର ଅନ୍ତରଦଶା ୩.୯.୨୦୧୭ ରୁ ୩.୧୧.୨୦୧୮ ପର୍ଯ୍ୟନ୍ତ ଚଳନ ହେବ। ଲଗ୍ନରେ ଶନି ଅବସ୍ଥାନ କରଛନ୍ତି। ସପ୍ତମାଧିପତି ଶନି ହୋଇ ଲଗ୍ନରେ କର୍କଟ ରାଶିରେ ଅବସ୍ଥାନ ହେତୁ ଜାତକ ପାଇଁ ଶନି ଅତ୍ୟନ୍ତ ବଳବାନ ପ୍ରଭାବିତ ହୋଇଥାଏ। ବର୍ତମାନ କେତୁ ମହାଦଶା ୭ ବର୍ଷ ୨୦୧୭ ଅପ୍ରେଲ ରୁ ୨୦୨୪ ଅପ୍ରେଲ ପର୍ଯ୍ୟନ୍ତ ଚଳନ ହେବ। କେତୁ ଓ ଶୁକ୍ର ଏକତ୍ର ଅବସ୍ଥାନ ହେତୁ ନଭେମ୍ବର ମାସ ପର୍ଯ୍ୟନ୍ତ ଆଦୌ ସମୟ ଭଲ ନୁହେଁ। ନଭେମ୍ବର ମାସ ୨୦୧୮ ରୁ କେତୁ ଦଶାରେ ରବି ଅନ୍ତରଦଶା ଚଳନ ହେଲେ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ସମୟ ଭଲ। ତେଣୁ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ବହୁତ ଭଲ ସ୍ଥିତିରେ ରହିବେ। ମାତ୍ର ଠିକ୍‌ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ କିଛିଟା ସମସ୍ୟା ସୃଷ୍ଟି ହେବ। ଫଳରେ ନିର୍ବାଚନରେ ବିଜେଡି ବହୁତ ଖର୍ଚ୍ଚାନ୍ତ ହେବେ।

ପଣ୍ଡିତ ଆଚାର୍ଯ୍ୟ ଆହୁରି ଭବିଷ୍ୟବାଣୀ କରିଛନ୍ତି, ଏ ବର୍ଷ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନିଶ୍ଚିତ। ପଶ୍ଚିମ ଓଡ଼ିଶାରୁ ନୂଆ ମନ୍ତ୍ରୀ ହେବେ। ଖଣି ଓ ଶିକ୍ଷା ବିଭାଗ ପରିବର୍ତ୍ତନ ହେବ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଏବର୍ଷ ଅଧିକ ରହିଛି। ଯାନବାହାନ ଜନିତ ଦୁର୍ଘଟଣା ବଢିବ। ସାମୁଦ୍ରିକ ଝ଼଼଼ଡ଼ ହେତୁ ଉତ୍ତର ପୂର୍ବ ଓ ଦକ୍ଷିଣ ଦିଗରେ ବର୍ଷାଜନିତ କ୍ଷୟକ୍ଷତି, ବାତ୍ୟା ତଥା ଭୂକମ୍ପ, ଅଗ୍ନି, ବିଦ୍ୟୁତ ଭୟ ରହୁଛି।

କଟକସ୍ଥିତ ତୁଳସୀପୁରର ଇଂଜିନିୟର ପ୍ରଶାନ୍ତ ନାୟକ ଶର୍ମାଙ୍କ ଗଣନା ଅନୁଯାୟୀ ୨୦୧୭ରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ। କିନ୍ତୁ ମୁଖ୍ୟମନ୍ତ୍ରୀ ଚଉକି ଯାହା ଥିଲା ସେଇୟା ରହିବ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ରହିଛି। ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ଫେରି କୌଣସି ପଦପଦବିରେ ରହିବା ବଦଳରେ କେନ୍ଦ୍ରମନ୍ତ୍ରୀ ରହିବାର ଅଧିକ ସମ୍ଭାବନା ରହୁଛି। କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏହି ସମୟ ଭିତରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି କରିବାର ସୁଯୋଗ ପାଇବେ। ତାଙ୍କର ଗୁରୁତ୍ୱ ବଢ଼ିବ। ବିଜୟ ମହାପାତ୍ରଙ୍କ ପାଇଁ ସ୍ଥିତି ଅନୁକୂଳ ଦେଖାଉ ନାହିଁ।

ସମ୍ବନ୍ଧିତ ଖବର