ଆପାର୍ଟମେଣ୍ଟ ନିୟମାବଳୀର ବୈଧତାକୁ ହାଇକୋର୍ଟରେ ‌ଚାଲେଞ୍ଜ: ରାଜ୍ୟ ସରକାର, ଓରେରା ମିଳିତ ବୈଠକ ପାଇଁ ନିର୍ଦ୍ଦେଶ

କଟକ : ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ରାଜ୍ୟ ସରକାର ଓ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା)ର ମିଳିତ ବୈଠକ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌. ମିଶ୍ର ଓ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭେଲପମେଣ୍ଟ) ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀର କେତେକ ନିୟମ ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଥିବାବେଳେ ଏହି ପ୍ରସଙ୍ଗରେ ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ଆଲୋଚନା କରାଯିବ। ଏପରି ବୈଠକର ବିବରଣୀ ସତ୍ୟପାଠ ମାଧ୍ୟମରେ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆପାର୍ଟମେଣ୍ଟ ସଂପର୍କିତ ବିକ୍ରି କବଲା କାର୍ଯ୍ୟକାରୀ ବେଳେ ରେରା ଆଇନ ଏବଂ ଏ ସଂପର୍କିତ ନିୟମ ପାଳନ ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୩କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରେରା ଆଇନ ବଳବତ୍ତର ରହିଥିବାବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର। ଆପାର୍ଟମେଣ୍ଟର ଅତିକମ୍‌ରେ ୮ଟି ଫ୍ଲାଟ୍‌ର ବିକ୍ରିପରେ ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଏବଂ ଆପାର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍‌ ଗଠନ ସଂପର୍କିତ ରେରା ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର