କଟକ : ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଖ୍ୟ ସୂଚନା କମିସନରଙ୍କ ଏ ସଂପର୍କିତ ୨୦୧୮, ଜୁନ୍ ୧୨ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ସହିତ ପ୍ରତିପକ୍ଷ ରାଜ୍ୟ ମୁଖ୍ୟ ସୂଚନା କମିସନର ଓ ବିଶ୍ବଜିତ ମହାନ୍ତିଙ୍କୁ ନୋଟିସ ଜାରି କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଓ ଷ୍ଟାଣ୍ଡିଂ କାଉନସିଲ ସଂଗ୍ରାମ ଦାସ ମାମଲା ପରିଚାଳନା କରୁଛନ୍ତି।

Advertisment

ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବା ନିମନ୍ତେ ବିଶ୍ବଜିତ ମହାନ୍ତି ୨୦୧୪, ଅକ୍ଟୋବର ୧୩ରେ ଭିଜିଲାନ୍ସ ଠାରେ ଏକ ଦରଖାସ୍ତ କରିଥିଲେ। ଭିଜିଲାନ୍ସ ବିଭାଗ ପବ୍ଲିକ ଇନଫରମେସନ ଅଫିସର(ପିଆଇଓ) ଏହି ଦରଖାସ୍ତକୁ ୨୦୧୪, ନଭେମ୍ବର ୩ରେ ଖାରଜ କରିଥିଲେ। ଏପରି ଆଦେଶ ବିରୋଧରେ ଶ୍ରୀ ମହାନ୍ତି ଆପିଲେଟ ଅଥରେଟି(ପ୍ରଥମ)ଙ୍କ ନିକଟରେ କରିଥିବା ଅପିଲ ୨୦୧୪, ଡିସେମ୍ବର ୪ରେ ଖାରଜ ହୋଇଥିଲା। ଏହାପରେ ସେ ରାଜ୍ୟ ସୂଚନା କମିସନରଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୮, ଜୁନ ୧୨ରେ କମିସନ ମାମଲାର ଶୁଣାଣି କରି ୧୫ ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବା ପାଇଁ ଭିଜିଲାନ୍ସକୁ ନିର୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଭିଜିଲାନ୍ସ ବିଭାଗ ପିଆଇଓ ଓ ଆପିଲେଟ ଅଥରେଟି(ପ୍ରଥମ) ହାଇକୋର୍ଟରେ ମାମଲା ଦାୟର କରିଥିଲେ।