ଟିଟିପିଏସ୍ ବନ୍ଦ ପ୍ରସଙ୍ଗକୁ ଚାଲେଞ୍ଜ: ହାଇକୋର୍ଟ ଜାରି କଲେ ନୋଟିସ୍, ମିଳିଲାନି ରହିତାଦେଶ

ଅନୁଗୁଳ/କଟକ : ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ବନ୍ଦ୍ ପ୍ରସଂଗରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର, ଏନଟିପିସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ଟିଟିପିଏସ୍ ବନ୍ଦ ପ୍ରସଂଗର କୌଣସି ରହିତାଦେଶ ଦେବାକୁ ହାଇକୋର୍ଟ ମନା କରିଛନ୍ତି। ଜଷ୍ଟିସ ସି.ଆର.ଦାଶ ଓ ଜଷ୍ଟିସ୍  ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନଟିପିସି ମେନ୍‌ସ କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଓ ଏନଟିପିସି ୱାର୍କର ୟୁନିୟନ ସଭାପତି ବିଷ୍ଣୁମୋହନ ରଥଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନଟିପିସି) ଦ୍ବାରା ପରିଚାଳିତ ଟିଟିପିଏସରୁ ମାର୍ଚ୍ଚ ୩୧ ତାରିଖରୁ ବିଜୁଳି ଉତ୍ପାଦନ ବନ୍ଦ ହୋଇ ଯାଇଥିଲେ ମଧ୍ୟ ପ୍ଲାଣ୍ଟକୁ ବିଧିବଦ୍ଧ ଭାବେ ବନ୍ଦ କରାଯାଇ ନଥିଲା। ପ୍ଲାଣ୍ଟ ବନ୍ଦ ପାଇଁ ଟିଟିପିଏସ୍ କର୍ତ୍ତୃପକ୍ଷ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପାଖରେ ଆବେଦନ କରିବା ପରେ ସରକାର ଏଥିନେଇ ଗତ ଜୁଲାଇ ୧୨ରେ ନିର୍ଦେଶାନାମା ଜାରି କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଓ ଅନ୍ୟାନ୍ୟ କାରଣକୁ ନେଇ ସେମାନେ ପ୍ଲାଣ୍ଟ ବନ୍ଦ କରିଦେବାକୁ ଅନୁମତି ଦେଇଥିଲେ। ଅଗଷ୍ଟ ୨୦ ତାରିଖରୁ ସବୁଦିନ ପାଇଁ ବନ୍ଦ କରିବାକୁ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଅନୁମତି ମିଳିଥିଲା। ତେବେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ବିଚାର କରି ବନ୍ଦ ଆଦେଶ ଉପରେ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ। ଏହି ସମୟ ଭିତରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପାଖରେ ଅନ୍ୟାନ୍ୟ ତଥ୍ୟ, ପ୍ରମାଣ ସହ ଆବେଦନ କରିବାକୁ କହିଥିଲେ। ଫଳରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମାମଲାର ପୁନଃ ଶୁଣାଣି କରିଥିଲେ। ହେଲେ ପ୍ରତିପକ୍ଷଙ୍କ ଯୁକ୍ତି ଓ ତଥ୍ୟକୁ ସେମାନେ ଗ୍ରହଣ କରି ନ ଥିଲେ। ବରଂ ପ୍ଲାଣ୍ଟ ବନ୍ଦ ହେବା ସପକ୍ଷରେ ଶ୍ରମ ମନ୍ତ୍ରଣାଳୟ ରାୟ ଦେଇଥିଲା। ଏନଟିପିସି ପକ୍ଷରୁ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର