କଟକ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଶ୍ରୀଜିଉଙ୍କ ସଂପତ୍ତି ପରିଚଳାନା ପ୍ରସଂଗରେ ଅଧିକ କ୍ଷମତା ପ୍ରଦାନ ପାଇଁ ଆଇନରେ କରାଯାଇଥିବା ସଂଶୋଧନକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାରେ ଆବେଦନକାରୀଙ୍କ ତରଫରୁ ପ୍ରତିଜବାବ ଦାଖଲ କରାଯାଇଛି। ସଂଶୋଧିତ ଧାରା ଅନୁସାରେ କରାଯାଇଥିବା କାରବାରର ସବିଶେଷ ବିବରଣୀ ରାଜ୍ୟ ସରକାରଙ୍କ ଜବାବରେ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଆଜି ଦର୍ଶାଯାଇଥିଲା।
ଆଇନରେ ସଂଶୋଧନ ପରେ ସଂଶୋଧିତ ଧାରା ଅନୁସାରେ କରାଯାଇଥିବା କାରବାରର ବିସ୍ତୃତ ତଥ୍ୟ ଜବାବରେ ଉଲ୍ଲେଖ କରିବାକୁ ହାଇକୋର୍ଟ ୨୦୨୨, ମାର୍ଚ୍ଚ ୧୫ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ଅନୁସାରେ ଜବାବରେ ତଥ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଜି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଆବେଦନକାରୀ ଏପ୍ରିଲ ୧୮ରେ ଦାଖଲ କରିଥିବା ପ୍ରତିଜବାବକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଜବାବର କପି ପ୍ରତିପକ୍ଷଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ କହିବା ସହିତ ଜୁଲାଇ ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨, ମାର୍ଚ୍ଚ ୧୫ରେ ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଉପପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ୍ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ,୧୯୫୪ର ସଂଶୋଧିତ ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ମାର୍ଚ୍ଚ ୧୫ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଜବାବରେ ପ୍ରତିପକ୍ଷ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ଡିସେମ୍ବର ୧୪ରେ ରାଜ୍ୟ ସରକାରଙ୍କ ତରଫରୁ ମାମଲାରେ ଜବାବ ଦାଖଲ କରାଯାଇଥିଲା।
ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବିନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଛନ୍ତି।