କଟକ: ପୁରୀ ଶ୍ରୀମନ୍ଦିର ଆଇନ, ୧୯୫୪ର ସଂ‌େଶାଧିତ ଧାରା ୧୬(୨) ଆଧାରରେ ମନ୍ଦିର ପ୍ରଶାସନ ତରଫରୁ କୌଣସି ଜମି ବିକ୍ରି କରାଯାଇ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ଅନ୍ୟପଟେ ନୀତି ପ୍ରଶାସକ ଜେ.କେ.ସାହୁଙ୍କ ତରଫରୁ ଦାଖଲ ସତ୍ୟପାଠରେ ଶ୍ରୀମନ୍ଦିର ଅାଇନ, ୧୯୫୪ର ଧାରା ୧୬(୨)ର ସଂଶୋଧନ ପରବର୍ତ୍ତୀ କାରବାର ସମ୍ପର୍କରେ ତଥ୍ୟ ଉଲ୍ଲେଖ କରାଯାଇଛି। ୨୦୨୨ ଜାନୁଆରି ୧ରୁ ୨୦୨୪ ଜାନୁଆରି ୩୧ ମଧ୍ୟରେ ପୁରୀ ଟାଉନ ତହସିଲ ଅନ୍ତର୍ଗତ ୧୫ଟି ଶ୍ରୀମନ୍ଦିର ଜମି (ମୋଟ ୦.୫୪୬ ଏକର ପରିମିତ ଅଞ୍ଚଳ) ବିକ୍ରି ପଞ୍ଜୀକରଣ ୟୁନିଫର୍ମ ପଲିସି-୨୦୨୩ରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ କରାଯାଇଛି। ଏଥି ସହିତ ହାଇକୋର୍ଟଙ୍କ ଜୁନ ୧୯ର ନିର୍ଦ୍ଦେଶ ଅନୁଯାୟୀ ୧୦ ହଜାର ଟଙ୍କା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଖାତାରେ ଜମା କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ଜୁଲାଇ ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମାର୍ଚ୍ଚ ୧୫ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଅନୁଯାୟୀ ଏବେ ୩୫ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ରହିଥିବା ବେଳେ ଆଉ ୨୫ ହଜାର ଏକର ଜମି ରେକର୍ଡଭୁକ୍ତ ହୋଇ ପାରି ନାହିଁ। ଶ୍ରୀଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନରେ କରାଯାଇଥିବା ଜାନୁଆରି ୯ର ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।