କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ,୧୯୫୪ର ସଂେଶାଧିତ ଧାରା ୧୬(୨) ଆଧାରରେ ହୋଇଥିବା କାରବାର ସଂପର୍କରେ ସବିଶେଷ ତଥ୍ୟ ଦାଖଲ ହୋଇ ନଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୨ ମାର୍ଚ୍ଚ ୧୫ରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୂର୍ବରୁ ଜବାବ ଦାଖଲ କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ସଂଶୋଧିତ ଧାରା ଅନୁସାରେ ହୋଇଥିବା କାରବାର ସଂକ୍ରାନ୍ତ ତଥ୍ୟ ଏଥିରେ ଉଲ୍ଲେଖ ନଥିବା ସ୍ପଷ୍ଟ ହୋଇଥିଲା। ୨୦୨୪ ଜାନୁଆରି ୨୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ଏହି ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ମହଲତ ପ୍ରଦାନ କରିଥିଲେ। ଏ ପର୍ଯ୍ୟନ୍ତ ୨୦୨୨ ମାର୍ଚ୍ଚ ୧୫ର ନିର୍ଦ୍ଦେଶ ପାଳନ କରାଯାଇ ନଥିବା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ଦେବାକୁ ନିବେଦନ କରାଯାଇଥିଲା। ୨୦୨୨ ମାର୍ଚ୍ଚ ୧୫ର ନିର୍ଦ୍ଦେଶ ଅନୁସାରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଏକ ସପ୍ତାହ ମହଲତ ପ୍ରଦାନ କରିବା ସହିତ ୧୦ ହଜାର ଟଙ୍କା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଖାତାରେ ଜମା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁନ ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ତଥ୍ୟ ଦାଖଲ ହୋଇ ନଥିବାରୁ ହାଇକୋର୍ଟଙ୍କ ଅସନ୍ତୋଷ
ସତ୍ୟପାଠ ଦାଖଲ ପାଇଁ ଏକ ସପ୍ତାହ ମହଲତ
୧୦ ହଜାର ଟଙ୍କା ତଣ୍ଡ ଗଣିବ ଶ୍ରୀମନ୍ଦିର ପ୍ରଶାସନ
ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମାର୍ଚ୍ଚ ୧୫ରେ ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଉପପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଅାଇନ,୧୯୫୪ର ସଂେଶାଧିତ ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପର ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଜବାବରେ ପ୍ରତିପକ୍ଷ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୨୦୨୨ରେ ଶ୍ରୀମନ୍ଦିର ଅାଇନରେ ରାଜ୍ୟ ସରକାର ସଂଶୋଧନ କରିଥିଲେ। ଏପରି ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଥିଲା। ବିଶେଷକରି ପୂର୍ବରୁ ଥିବା ଅାଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରିବ ନାହିଁ, କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ। ସେହିପରି କୌଣସି ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ଜମିକୁ ବନ୍ଧକ ରଖି ପାରିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡ଼ିଥିଲେ। ଅାଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ମନ୍ଦିର ପରିଚାଳନା କମିଟି ହାତକୁ ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସଂପତ୍ତି ବିକ୍ରି ବା ଲିଜ୍ରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ। ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ବାରା ଶ୍ରୀଜଗନ୍ନାଥଙ୍କ ସଂପତ୍ତି ପ୍ରତି ବିପଦ ଦେଖାଦେଇଛି ବୋଲି ଆବେଦନକାରୀ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏପରି କ୍ଷମତାର ଅପବ୍ୟବହାର ହେବାର ସମ୍ଭାବନା ରହିଛି। ଏବେ ୩୫ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ହୋଇ ରହିଥିବା ବେଳେ ଆଉ ୨୫ ହଜାର ଏକର ଜମି ରେକର୍ଡଭୁକ୍ତ ହୋଇ ପାରି ନାହିଁ। ଶ୍ରୀଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନରେ କରାଯାଇଥିବା ଜାନୁଆରି ୯ର ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।