ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରେ ବହୁରୂପୀ ଏଣ୍ଡୁଅ ‘ହାତୀ ଟେଟେଙ୍ଗା’ ବଂଶ ବିଲୁପ୍ତ ହେବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରେ ବାର୍‌ହା ଭଳି ବହୁରୂପୀ ଏଣ୍ଡୁଅ ବଂଶ ନିପାତ ହେବାକୁ ଯାଉଛି। ବହୁରୂପୀ ଏଣ୍ଡୁଅକୁ ସ୍ଥାନୀୟ ଭାଷାରେ ‘ହାତୀ ଟେଟେଙ୍ଗା’ କୁହାଯାଏ। ହାତୀ ଟେଟେଙ୍ଗା ଏଠାରେ ଗୋଟାକୁ ପ୍ରାୟ ୫୦୦୦ ଟଙ୍କାରେ ବିକ୍ରି ହେଉଛି। କୁହାଯାଏ, ଏହାର ମାଂସ ଖାଇଲେ ମିରଗି ରୋଗ ଭଲ ହୋଇଥାଏ। ତେଣୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଭିତରେ ଏହାର ଯଥେଷ୍ଟ ଚାହିଦା ରହିଛି। ଏହାର ସୁଯୋଗ ନେଇ ଏକ ରାକେଟ ସକ୍ରିୟ ରହିଛି କୁତ୍ରା ବ୍ଲକ ଅଞ୍ଚଳରେ। ରାକେଟ୍ ଜଙ୍ଗଲରେ ବୁଲୁଥିବା ସ୍ଥାନୀୟ ଶିକାରୀଙ୍କଠାରୁ ହାତୀ ଟେଟେଙ୍ଗା କିଣି ଚାହୁଥିବା ଲୋକଙ୍କୁ ଆହୁରି ଚଢ଼ାଦରରେ ବିକ୍ରି କରୁଛନ୍ତି।

ଗ୍ରାମାଞ୍ଚଳରୁ ସଂଗୃହୀତ ହାତୀ ଟେଟେଙ୍ଗାକୁ ଜୀବନ୍ତ ଅବସ୍ଥାରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ, ଏପରିକି ସୁନ୍ଦରଗଡ଼ ଓ ରାଉରକେଲା ଭଳି ସହରାଞ୍ଚଳ ତଥା ଜିଲ୍ଲା ବାହାରକୁ ଏବଂ ପଡ଼ୋଶୀ ରାଜ୍ୟର ସୀମା ଅଞ୍ଚଳକୁ ମଧ୍ୟ ଚାଲାଣ କରା ଯାଉଛି। ଏହାର ମାଂସ ଖାଇଲେ ରୋଗ ଭଲହୁଏ ବୋଲି କିଛି ଲୋକ ବିଶ୍ବାସ କରୁଥିବାବେଳେ ଗୁଣିଗାରେଡ଼ିରେ ମଧ୍ୟ ଏହାର ବ୍ୟବହାର ଅଛି ବୋଲି ଶୁଣିବାକୁ ମିଳେ। ଗୋପନରେ ଏହାର ଏକ ବଜାର ସୃଷ୍ଟି ହୋଇ ଯାଇଥିବାରୁ ଅନେକ ଶିକାରୀ ଜଙ୍ଗଲରେ ବୁଲି ହାତୀ ଟେଟେଙ୍ଗା ଧରୁଛନ୍ତି ଏବଂ ବେପାରୀଙ୍କୁ ବିକ୍ରି କରୁଛନ୍ତି। ବେପାରୀମାନେ ମଧ୍ୟ ବିଭିନ୍ନ ଉପାୟରେ ଶିକାରୀମାନଙ୍କୁ ଉତ୍ସାହିତ କରୁଛନ୍ତି। ବିଶେଷକରି ଶୀତଋତୁରେ ଏହି ରାକେଟ୍ ଖୁବ୍ ସକ୍ରିୟ ରହେ।

ଦୁର୍ଭାଗ୍ୟର ବିଷୟ ହେଉଛି, ଏହାର ସୂଚନା ଯେ ବନ ବିଭାଗ ନିକଟରେ ନାହିଁ, ତା’ ନୁହେଁ। କିନ୍ତୁ ଏ ଜୀବର ବ୍ୟବସାୟ ବନ୍ଦ କରିବାଲାଗି ବିଭାଗ ପକ୍ଷରୁ ଥରଟିଏ ମଧ୍ୟ ଉଦ୍ୟମ ହୋଇନାହିଁ। ହୁଏତ ଏହାକୁ ଏକ ମୁମୁଲି ପ୍ରସଙ୍ଗ ବୋଲି ବିଭାଗର ଅଧିକାରୀମାନେ ଅଣଦେଖା କରି ଦେଇଛନ୍ତି। କିନ୍ତୁ ଏସବୁ ଦିଗରେ ବନ ବିଭାଗ ଦୃଷ୍ଟି ନ ଦେଲେ ଅଞ୍ଚଳରେ ଜୀବଟିର ବିଲୁପ୍ତ ହେବା ସହିତ ସ୍ଥାନୀୟ ଜୈବ ବିବିଧତା ନଷ୍ଟ ହେବା ନିଶ୍ଚିତ। ବନ୍ୟଜନ୍ତୁ ସଂରକ୍ଷଣକୁ କେବଳ କାଗଜପତ୍ରରେ ସୀମିତ ନରଖି ବ୍ୟାପକ ଜନସଚେତନତା ସୃଷ୍ଟି କରି ଜଙ୍ଗଲ ବିଭାଗ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଉଚିତ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର