ନାରୀ ସଶକ୍ତୀକରଣର ମୂର୍ତ୍ତିମନ୍ତ ପ୍ରତୀକ ଚମ୍ପା ଦେବୀ, ସ୍ମୃତି ରକ୍ଷା ପାଇଁ ଉଦ୍ୟମ ନାହିଁ

ବ୍ରହ୍ମପୁର : ପରାଧୀନ ଭାରତରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ତତ୍କାଳୀନ ପ୍ରଚଳିତ ପ୍ରଥା ଅନୁସାରେ ବାଲ୍ୟ ବିବାହ କରିବା, କନ୍ୟାସନ୍ତାନ ଜନ୍ମ ଦେବାର ଅଳ୍ପ ଦିନ ପରେ ମାତ୍ର ୧୮ବର୍ଷ ବୟସ ବେଳକୁ ସ୍ବାମୀଙ୍କ ଦେହାନ୍ତ ଓ ବୈଧବ୍ୟ ଯନ୍ତ୍ରଣାରେ ଜୀବନ ଦୁର୍ବିଷହ ସତ୍ତ୍ବେ ଜଣେ ନାରୀ ପରିସ୍ଥିତି ସହ ସାଲିସ୍‌ କରିନଥିଲେ। ସବୁ ଝଡ଼ଝଞ୍ଜାକୁ ସାମ୍ନା କରି ସମାଜସେବାରେ ବ୍ରତୀ ହୋଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମହିଳା ସଶକ୍ତୀକରଣ ପାଇଁ ସଂଘର୍ଷରତ ଥିଲେ। ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୨ମସିହାରେ ୨୫ତମ ସ୍ବାଧୀନତା ଦିବସରେ ତାମ୍ରଫଳକ ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଥିଲେ। ଏଭଳି ଜଣେ ମହୀୟସୀ ମହିଳା ହେଲେ ଚମ୍ପା ଦେବୀ।

ଐତିାହାସିକ ତଥ୍ୟ ମୁତାବକ ଗଂଜାମ ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଉପଖଣ୍ଡ ଆମ୍ବପୁଆ ଗ୍ରାମରେ ଯୁଧିଷ୍ଠିର ପାଢ଼ୀଙ୍କ କନ୍ୟା ଭାବେ ୧୯୦୪ ମସିହାରେ ଚମ୍ପା ଦେବୀ ଜନ୍ମଗ୍ରହଣ କରିଥିଲେ। ମଞ୍ଜୁଷା (ଆଧୁନିକ ଆନ୍ଧ୍ରପ୍ରଦେଶରେ ସ୍ଥିତ)ର ରାଜଗୁରୁ ପରିବାରର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବାର କିଛି ଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ମାତ୍ର ୧୮ବର୍ଷ ବୟସରେ ବୈଧବ୍ୟ ଯନ୍ତ୍ରଣା ଭୋଗିଥିଲେ। ସେତେବେ‌ଳର ସାମାଜିକ କଟକଣା ଏବଂ କୁସଂସ୍କାରରେ ତାଙ୍କୁ ପେଶି ହେବାକୁ ପଡ଼ିଥିଲା। ଏହି ସମୟରେ ତା’ଙ୍କୁ ସହାୟତାର ହାତ ବଢ଼ାଇଥିଲେ ସମାଜସଂସ୍କାରକ ଜୟମଙ୍ଗଳ ରଥ ଏବଂ ଶ୍ରୀବତ୍ସ ପଣ୍ଡା। ଆଉ ପଛକୁ ଚାହିଁ ନଥିଲେ ଚମ୍ପା ଦେବୀ। ଦେଶସେବା ଓ ସମାଜସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମି୍‌ଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ନାରୀ ଶିକ୍ଷା, ବାଲ୍ୟବିବାହ ପ୍ରଥା ଉଚ୍ଛେଦ, ବାଲ୍ୟ ବିଧବାଙ୍କ ପୁନଃ ବିବାହ, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ ପାଇଁ ସେ ଅବିରତ ସଂଗ୍ରାମ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୩୦ମସିହା ଏପ୍ରିଲ୍‌ ୨୧ରେ ବାଲେଶ୍ବରର ଇଞ୍ଚୁଡ଼ି ଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିବର୍ଷ ମେ ୭ରେ ଗଂଜାମ ଜିଲ୍ଲାର ହୁମ୍ମା ଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ଚମ୍ପାଦେବୀ ପ୍ରମୁଖ ଭୂମିକା ଗ୍ରହଣ କରି ଇଂରେଜଙ୍କ ଦ୍ବାରା ଗିରଫ ହୋଇ ଛତ୍ରପୁର ଜେଲ୍‌ରେ ବନ୍ଦୀ ଜୀବନ କାଟିଥିଲେ। ସ୍ବରାଜ୍ୟ ଆନ୍ଦୋଳନର ବାର୍ତ୍ତାବହ ସାଜି ୧୯୩୨ରୁ ୧୯୩୪ ମସିହା ପର୍ଯ୍ୟନ୍ତ ଗାଁଗାଁ ବୁଲି ଲୋକଙ୍କୁ ସୂତାକାଟି ଲୁଗା ବୁଣିବା ଶିଖାଉଥିଲେ।

୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ଡେଲାଙ୍ଗ ଗସ୍ତ ବେଳେ ‘କୁଟି ଖାଅ, କାଟି ପିନ୍ଧ’ ପ୍ଲାକାର୍ଡ଼ ଧରି ପ୍ରଚାର କରିଥିଲେ। ବିଶିଷ୍ଟ ନାରୀନେତ୍ରୀ ସରଳା ଦେବୀଙ୍କ ଦ୍ବାରା ପ୍ରଭାବିତ ହୋଇ ୧୯୩୫ମସିହାରେ ଇଚ୍ଛାପୁର (ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ) ଠାରେ ଏକ ଅନାଥ ମହିଳା ଆଶ୍ରମ ପ୍ରତିଷ୍ଠା କରିଥିଲେ। ପ୍ରଥମେ ତାହା କଟକ ନାରୀ ମଙ୍ଗଳ ସମିତି ଶାଖା ଭାବେ ପରିଚାଳିତ ହୋଇଥିଲା। ୧୯୪୭ରେ ଏହି ଆଶ୍ରମ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିଲା। ଏହି ଆଶ୍ରମରେ ଅନାଥ ବାଳିକା ଓ ମହିଳାଙ୍କୁ ଉଦ୍ଧାର କରି ରଖାଯାଉଥିଲା। ସେମାନଙ୍କୁ ସ୍କୁଲ ଶିକ୍ଷାର ସୁବିଧା ଯୋଗାଇ ଦେବା ସହ ଧାଇ, ନର୍ସ, ଶିକ୍ଷୟିତ୍ରୀ ଆଦି ତାଲିମ୍‌ ଦିଆଯାଇ ଆତ୍ମନିର୍ଭର କରାଯାଉଥିଲା। ବିବାହର ବ୍ୟବସ୍ଥା ମଧ୍ୟ ହେଉଥିଲା। ୧୯୪୨ରେ ସେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ନଭେମ୍ବର ୧୪ରେ ପୁଣିଥରେ ଗିରଫ ହୋଇଥିଲେ,୧୯୪୩ ଜୁନ୍‌ ୪ରେ ମୁକ୍ତ ହୋଇଥିଲେ। ଅଧିକାଂଶ ସମୟ ସତ୍ୟାଗ୍ରହ, ପିକେଟିଂ ଓ ବନ୍ଦୀ ଜୀବନ ଯୋଗୁଁ ତାଙ୍କ କନ୍ୟାର ଲାଳନପାଳନ ସ୍ବାଧୀନତା ସଂଗ୍ରାମୀ ଜୟମଙ୍ଗଳ ରଥ ଏବଂ ଶ୍ରୀହର୍ଷ ମିଶ୍ରଙ୍କ ପରିବାର ଦ୍ବାରା ସମ୍ପନ୍ନ ହୋଇଥିଲା। ଚମ୍ପା ଦେବୀଙ୍କ କାର୍ଯ୍ୟସ୍ଥଳୀ କେବଳ ବ୍ରହ୍ମପୁରରେ ସୀମିତ ନଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସେ ଆସିକା ସ୍ଥିତ ସ୍ବରାଜ୍ୟ ଆଶ୍ରମରେ ନିୟୋଜିତ ହୋଇଥିଲେ। ବ୍ରିଟିଶ୍‌ଙ୍କ ଆଖିରେ ଧୂଳି ଦେଇ ଏହି ଆଶ୍ରମର ଚିଠିପତ୍ର ଗୁପ୍ତ ଭାବେ ବିଭିନ୍ନ ସ୍ଥାନ ଏବଂ କର୍ମୀଙ୍କ ନିକଟରେ ପହଁଚାଉଥିଲେ।

ସେହିପରି ଭଂଜନଗରର ନାହାତୁଠ ସାହିରେ ଏକ ମଦଦୋକାନ ବନ୍ଦ କରିବା ପାଇଁ କଂଗ୍ରେସ୍‌ କର୍ମୀଙ୍କ ସହ ଧାରଣା ଦେଇଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରି ୬ମାସ ସେଠାରେ ଜେଲ୍‌ରେ ବନ୍ଦୀ କଲେ। ତେବେ ଜେଲ୍‌ରୁ ଖଲାସ ହେବାପରେ ପୁଣିଥରେ ସେହି ମଦଦୋକାନ ବନ୍ଦ ପାଇଁ ଆନ୍ଦୋଳନକୁ ତୀବ୍ର କରିଥିଲେ। ‌ପରିଣାମ ସ୍ବରୂପ ବ୍ରିଟିଶ୍ ସରକାର ସେହି ମଦ ଦୋକାନକୁ ବନ୍ଦ କରିବାପାଇଁ ବାଧ୍ୟ ହୋଇଥିଲେ। ସେହିପରି ଶ୍ରୀବତ୍ସ ପଣ୍ଡାଙ୍କ ଦ୍ବାରା ତନରଡ଼ା ଠାରେ ସ୍ଥାପିତ ଗୋରକ୍ଷା ଆଶ୍ରମରେ ମାସାଧିକ କାଳ ରହି ତା’ର ଉନ୍ନତି ସାଧନ କରିଥିଲେ। ଫୁଲବାଣୀର ଚାରିଛକଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବ୍ୟବସ୍ଥା କରିଥିଲେ। ଜୀବନର ଶେଷ ସମୟ ସେ ଫୁଲବାଣୀର ମାଦିକୁନ୍ଦା ଫରେଷ୍ଟ କଲୋନିରେ କାଟିଥିଲେ। ୧୯୭୪-୭୬ ପର୍ଯ୍ୟନ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ବ୍ରହ୍ମପୁର ଏବଂ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ୧୯୭୭ ମାର୍ଚ୍ଚ ୪ରେ ଫୁଲବାଣୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଏଭଳି ଜଣେ ମହୀୟସୀ ମହିଳାଙ୍କ ସ୍ମୃତି ରକ୍ଷା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସହରର ଯେକୌଣସି ରାସ୍ତାର ନାମକରଣ ଚମ୍ପା ଦେବୀଙ୍କ ନାମରେ ନାମିତ କରିବା କିମ୍ବା ପ୍ରମୁଖ ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଗଲେ, ଆଗାମୀ ପିଢ଼ିକୁ ଏହା ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର