ରାଇରଙ୍ଗପୁର: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବୁଧବାର ମୟୂରଭଂଜ ଗସ୍ତରେ ଆସିବେ। ସେ ଦିନ ୧୧ ଟା ସମୟରେ ରାଇରଙ୍ଗପୁର ନିକଟ ଜାମଦା ଡୁମୁରିଆ ପଡିଆ, ୧୨:୩୦ ସୁଳିଆପଦା ଏବଂ ୩:୩୦ ସମୟ ବିଶୋଇର ବାଙ୍କୀ ଫୁଟବଲ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ। ରାଇରଙ୍ଗପୁରସ୍ଥିତ ପିସିଏମ କଲ୍ୟାଣ ମଣ୍ଡପଠାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
Advertisment
ସାମ୍ବାଦିକ ସମ୍ମିଳନୀରେ ଝାରଖଣ୍ଡ ଆଦିବାସୀ କଲ୍ୟାଣ ଓ ପରିବହନ ମନ୍ତ୍ରୀ ଦୀପକ ବିରୁଆ ଯୋଗ ଦେଇ କହିଥିଲେ ଯେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଜେଏମ୍ ଏମ ଅଣ୍ଟା ଭିଡ଼ିଛି। ରାଇରଙ୍ଗପୁରର ଖଣି ଅଂଚଳରେ ଶିଳ୍ପ ପ୍ରତିଷ୍ଠା, ଡାକ୍ତରଖାନା ଗୁଡିକରେ ଚିକିତ୍ସକ ନିଯୁକ୍ତି, ଗ୍ରାମାଞ୍ଚଳରେ ରାଜ୍ୟ ସରକାର ବନ୍ଦ କରି ଦେଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ପୁଣି କାର୍ଯ୍ୟକ୍ଷମ କରିବା, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାରକୁ ବୃଦ୍ଧି, ଅଲ ଚିକି ଲିପି ଶିକ୍ଷକ ମାନଙ୍କ ସ୍ଥାୟୀ ନିଯୁକ୍ତି, ଧାନର ସରକାରୀ ମୂଲ୍ୟ ବୃଦ୍ଧି, ଆଦିବାସୀ ମାନଙ୍କ ସାରନା ଧର୍ମକୁ ସରକାରୀ ମାନ୍ୟତା, ହୋ ଭାଷାରେ ପ୍ରଥମିକ ବିଦ୍ୟାଳୟ ଗୁଡିକରେ ପାଠ ପଢା ସହିତ ଅନ୍ୟ ଏଜେଣ୍ଡା ଗୁଡିକୁ ନେଇ ନିର୍ବାଚନୀ ମୈଦାନ ରେ ଓଲ୍ହାଇଛି। ତେଣୁ ସମସ୍ତ ଆଦିବାସୀ ମାନଙ୍କୁ ଜେଏମ୍ ଏମ ଦଳର ଧନୁ ତୀର ଚିନ୍ହରେ ଭୋଟ ଦେଇ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ସୋରେନ ସହିତ ଦଳର ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ଦୀପକ ବିରୁଆ ନିବେଦନ କରିଥିଲେ।
କାର୍ଯ୍ୟକ୍ରମରେ ଜେଏମ୍ ଏମ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ଜିଲ୍ଲା ସଭାପତି ସୁନୀଲ ମାଝୀ, କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସକୁ, ଘନଶ୍ୟାମ ପିଙ୍ଗୁଆ, ସମାଜସେବୀ ଅଜମେରି ଖାନ ତଥା ଅନ୍ୟ କର୍ମକର୍ତା ମାନଙ୍କ ସହିତ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।