ଏବେ ବି ଇତିହାସରେ ଅଲୋଡ଼ା ‘ଚମ୍ପାଇଲୋ’

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ବହନ କରୁଥିବା ଖୋର୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ର ଚମ୍ପାଇଲୋ ଗାଁ ଆଜି ବି ଇତିହାସରୁ ବାଦ୍‌ ପଡ଼ିଛି। ଏହି ଛୋଟିଆ ଗାଁର ୨୨ଜଣ ଶ୍ରମିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍‌ ହିନ୍ଦ୍‌ ଫୌଜରେ ସାମିଲ ହୋଇ ଦେଶ ପାଇଁ ଯେଉଁ ବଳିଦାନ ଦେଇଥିଲେ, ଓଡ଼ିଶା କିମ୍ବା ଭାରତ ଇତିହାସରେ, କେଉଁଠି ତା’ର ବର୍ଣ୍ଣନା ଦେଖିବାକୁ ମିଳେନାହିଁ। ଏଥିପାଇଁ ଯେ ପ୍ରୟାସ କରାଯାଇନାହିଁ, କହିଲେ ଭୁଲ୍‌ ହେବ। କିନ୍ତୁ ଏହାକୁ ଇତିହାସରେ ଲିପିବଦ୍ଧ କରିବା ପାଇଁ ରାଜନୈତିକ ସ୍ତରରେ ଯେଉଁ ଉଦ୍ୟମ କରାଯିବା କଥା, ତାହା ହୋଇପାରିନାହିଁ ବୋଲି ଏହି ଗାଁର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ୧୯୬୨ରେ ବାମପନ୍ଥୀ ନେତା ତଥା ତତ୍କାଳନୀ ବେଗୁନିଆ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ନେତୃତ୍ବରେ ଏହି ସଂଗ୍ରାମୀମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ସହିତ ପେନସନ୍‌ ପ୍ରଦାନ ପାଇଁ ଦାବି ହୋଇଥିଲା। ଲଗାତାର ଆନ୍ଦୋଳନ ଓ ବିକ୍ଷୋଭ ପରେ ଶେଷରେ ଇନ୍ଦିରା ଗାନ୍ଧି ସରକାରଙ୍କ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଦେଲେ। ତାଙ୍କ ପରିବାରକୁ ତାମ୍ରଫଳକ ଏବଂ ପେନସନ୍‌ ବି ମିଳିଲା। କିନ୍ତୁ ସଂଗ୍ରାମୀମାନଙ୍କୁ ଏଯାବତ୍‌ ଇତିହାସରେ ସ୍ଥାନ ମିଳି ନପାରିବା କିମ୍ବା ଏ ଦିଗରେ ଅଧିକ ଗବେଷଣା ନ ହେବା ବିଡ଼ମ୍ବନାର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଗାଁରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ତଳେ ସେହି ୨୨ ଶ୍ରମିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନାମଫଳକଟିଏ ରହିଛି। କିନ୍ତୁ ଉକ୍ତ ଫଳକଟି ଏବେ ଅସ୍ତିତ୍ବ ହରାଇବାକୁ ବସିଲାଣି।

ଆଜି ଭଳି, ଦେଶ ସ୍ବାଧୀନ ହେବା ପୂର୍ବରୁ ବି ଓଡ଼ିଶା ଶ୍ରମିକମାନେ କାମ ଅନ୍ବେଷଣରେ ବାହାର ରାଜ୍ୟ ଓ ଦେଶକୁ ଯାଉଥିଲେ। ଗ୍ରାମବାସୀ ପ୍ରମୋଦ ପ୍ରତାପ ସିଂଙ୍କ କହିବାନୁସାରେ, ଏହି ଗାଁର ଅନେକ ବ୍ୟକ୍ତି ସେତେବେଳେ ବର୍ମାର କୃଷି, ଖଣି ସମେତ ବିଭିନ୍ନ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଥିଲେ। ୧୯୪୦ ବେଳକୁ ରାହାସ ବିହାରୀ ବୋଷ ଇଂରେଜ ଶାସନ କବଳରୁ ଦେଶକୁ ମୁକୁଳାଇବା ପାଇଁ ରେଙ୍ଗୁନ୍‌ରେ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗର ଗଠନ କରିଥିଲେ। ରେଙ୍ଗୁନ୍‌ ଏବଂ ବର୍ମାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଭାରତୀୟ ଶ୍ରମିକମାନଙ୍କୁ ଏଥିରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ସେତେବେଳେ ବର୍ମାରେ କାମ କରୁଥିବା ଗାଁର ଏହି ୨୨ ଶ୍ରମିକ ଲିଗ୍‌ରେ ସାମିଲ ହୋଇଯାଇଥିଲେ। ଯାହା ପରବର୍ତ୍ତୀ ସମୟରେ ଆଜାଦ ହିନ୍ଦ ଫୌଜ୍‌ ସହ ମିଶି ଯାଇଥିଲା। ଗ୍ରାମବାସୀ ସମରେନ୍ଦ୍ରଙ୍କ କହିବା କଥା, ତାଙ୍କ ଜେଜେ ପତିତପାବନ ବଳିୟାର ସିଂ ସେତେବେଳେ ବର୍ମାର ରାମପୁର ସୁନାଖଣିରେ କାମ କରୁଥିଲେ। ସେହି ସମୟରେ ବର୍ମାରେ କାର୍ଯ୍ୟରତ ଚମ୍ପାଇଲୋର ଅନ୍ୟ ଯୁବକମାନେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଫେଡରେସନ୍‌ ଜରିଆରେ ଆଜାଦ ହିନ୍ଦ ଫୌଜର ଅଂଶବିଶେଷ ହୋଇ ବିଭିନ୍ନ କ୍ୟାଡରରେ କାର୍ଯ୍ୟ କରିଥିଲେ। ଏପରିକି ଇଂରେଜଙ୍କ ବିରୋଧରେ ସମ୍ମୁଖ ଯୁଦ୍ଧ ଲଢ଼ି ବେଲ ବରାଳ, ଜଗନ୍ନାଥ ବରାଳଙ୍କ ଗୋଡ଼ରେ ଗୁଳି ଖାଇଥିଲେ।

‌ତେବେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ହାରିଯିବାରୁ ଆଜାଦ ହିନ୍ଦ ଫୌଜ୍‌ରେ କାର୍ଯ୍ୟରତ ଏହି ଶ୍ରମିକମାନେ ରେଙ୍ଗୁନ୍‌ ଜେଲ୍‌ରେ ବନ୍ଦୀ ହୋଇ ରହିଗଲେ। ଜବାହାରଲାଲ ନେହରୁଙ୍କ ପ୍ରଚେଷ୍ଟାରେ ଯୁଦ୍ଧର ଚୁକ୍ତିନାମା ଅନୁଯାୟୀ ସମସ୍ତେ ମୁକୁଳିଲେ। କିନ୍ତୁ ଘରକୁ ଆସିବାର କୌଣସି ବ୍ୟବସ୍ଥା କରାଯାଇନଥିଲା। ଭୋକ-ଉପାସରେ ଅତି ଦୁର୍ଦ୍ଦଶାରେ ଗାଡ଼ି, ଟ୍ରେନ୍‌ରେ କିଛି ବାଟ ତ ଚାଲିଚାଲି ଆଉ କିଛି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚିଥିଲେ ୨୦ ଶ୍ରମିକ। କିନ୍ତୁ ଦୁଇ ସଂଗ୍ରାମୀ ଭାଇ ହାଲୁରି ବରାଡ଼ ଏବଂ ହାଲୁ ବରାଡ଼ ଆସି ନଥିଲେ। ନାତି ବସୁଦେବ ବରାଡ଼ଙ୍କ କହିବାନୁସାରେ, ତାଙ୍କ ଜେଜେ ଯୁଦ୍ଧରେ ସାମିଲ ହୋଇ ଜେଲ ଯିବା ବିଷୟରେ ତାଙ୍କ ସାଥୀମାନଙ୍କଠାରୁ ଶୁଣିଛନ୍ତି। କିନ୍ତୁ ତା’ ପରେ ସେମାନଙ୍କ ସହ କ’ଣ ଘଟିଲା, କେହି ଜାଣିପାରିଲେ ନାହିଁ। ଜେଜେ ମା’ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜେଜେଙ୍କୁ ଅପେକ୍ଷା କରି ରହିଲେ। ଜୀବନତମାମ ଏକୁଟିଆ ଜୀବନ ଜିଇଁ ସେ ଯେଉଁ କଷ୍ଟ ସହିଲେ, ତାହା ଅବର୍ଣ୍ଣନୀୟ।

ଆଜାଦ ହିନ୍ଦ ଫୌଜ ସଂଘ ସଭାପତି ବସନ୍ତ ପାଇକରାୟଙ୍କ କହିବା କଥା, ଓଡ଼ିଶାର ୭୦ରୁ ଅଧିକ ମହିଳା ଏବଂ ପୁରୁଷ ଆଜାଦ୍‌ ହିନ୍ଦ୍‌ ଫୌଜରେ ସାମିଲ ହୋଇଥିଲେ। ସେମାନେ ଘରକୁ ଫେରିବା ପରେ ଯେଉଁ ଆର୍ଥିକ ଦୁରବସ୍ଥା ଦେଇ ଗତି କରିଥିଲେ, ତାହା କହିବାକୁ ଭାଷା ନାହିଁ। ସେତେବେଳେ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ମଧ୍ୟ ଦିଆଯାଇନଥିଲା।

ସମ୍ବନ୍ଧିତ ଖବର