ବନ କର୍ମଚାରୀଙ୍କୁ ଚକ୍‌ମା ଦେଇ ଖସିଗଲେ ଦୁଇ ଅଭିଯୁକ୍ତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ନୟାଗଡ଼ ରେଳସାଇଡିଂ ନିକଟରୁ ଲୁହାପଥର ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୩ଟି ହାଇୱା, ଗୋଟିଏ ଜେସିବି ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଆଜି ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି। ଫେରାର ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଚାତ୍ରା ଜିଲ୍ଲା ରୋଜପୁର ଥାନା ଅନ୍ତର୍ଗତ କାହ୍ନାଖୁଡ଼ା ଗ୍ରାମର ପ୍ରକାଶ କୁମାର ସିଂହ ଓ ଛୋଟୁ କୁମାର ସିଂହ। ଏନେଇ ବାମେବାରୀ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ ଚମ୍ପୁଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୪୦/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗିରଫ ପରେ ଅଭିଯୁକ୍ତଙ୍କୁ ଆଣି ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଥିଲା। ଆଜି ପୂର୍ବାହ୍ନ ୧୦ଟା ବେଳେ ଛୋଟୁ ଓ ପ୍ରକାଶ ଶୌଚ ପାଇଁ ଯିବାକୁ ବନ କର୍ମଚାରୀଙ୍କୁ କହିଥିଲେ। ଦୁଇଜଣ ବନ କର୍ମଚାରୀ ଉଭୟଙ୍କୁ କାର୍ଯ୍ୟାଳୟ ପଛପଟ ପାଚେରି ପାଖକୁ ଶୌଚ ପାଇଁ ନେଇଥିଲେ। ସେଠାରେ ଛୋଟୁ ଓ ପ୍ରକାଶ ବନ କର୍ମଚାରୀଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲେ। ବନ କର୍ମଚାରୀମାନେ ଉଭୟଙ୍କୁ ଖୋଜିଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳ ଝାଡ଼ଖଣ୍ଡ ସୀମାକୁ ଲାଗିଥିବାରୁ ଉଭୟ ଝାଡ଼ଖଣ୍ଡ ଚାଲିଯାଇଥିବା ଆଶଙ୍କା କରାଯାଉଛି ବୋଲି ଚମ୍ପୁଆ ରେଞ୍ଜର ସଂଜୀବ କୁମାର ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର