ଜେଲ୍‌ରେ କରୋନା ଭୟ: ଏକାନ୍ତବାସରେ ୬ ବିଚାରାଧୀନ କଏଦୀ

ୱାର୍ଡରେ ଯିବାକୁ ଡରୁଛନ୍ତି ଡାକ୍ତର, ନୂଆ କଏଦୀଙ୍କୁ ଜେଲ୍‌ ମନା, ଖଲାସ ହେବେ ୯୨

କଟକ: ଜେଲ୍‌ରେ ଏବେ କଏଦୀଙ୍କୁ ଡରାଇଲାଣି କରୋନା। ଜେଲ୍‌ରେ ଏବେ ୬ ଜଣ ବିଚାରାଧୀନ କଏଦୀଙ୍କୁ କରୋନା ସନ୍ଦେହରେ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ନିକଟରେ ସମ୍ପୃକ୍ତ କଏଦୀ ଜେଲକୁ ଆସିଛନ୍ତି। ସେମାନଙ୍କୁ ଅନ୍ୟ କଏଦୀଙ୍କ ସହିତ ମିଳାମିଶା କରିବାକୁ ଅନୁମତି ଦିଆଯାଉନାହିଁ। କିନ୍ତୁ ଜେଲରେ କରୋନା ଓ୍ବାର୍ଡ ଦାୟିତ୍ବରେ ଥିବା ଡାକ୍ତରୀ ଟିମଙ୍କୁ ପିପିଇ(ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) ଏଯାଏ କାରାଗାର ବିଭାଗ ଯୋଗାଇ ନଥିବାରୁ ସନ୍ଦିଗ୍ଧଙ୍କୁ ଚିକିତ୍ସା କରିବାକୁ ଡାକ୍ତର, ନର୍ସ ଭୟ କରୁଛନ୍ତି। ଗୋଟିଏ ପଟେ ଜେଲରେ ଭୟର ବାତାବରଣ ଲାଗି ରହିଥିବା ବେଳେ ସଂକ୍ରମଣ ଭୟରେ ଚୌଦ୍ବାର ସର୍କଲ ଜେଲରୁ ୫୦ ଜଣ କଏଦୀଙ୍କୁ ସାଲେପୁର ସବ୍‌-ଜେଲକୁ ସ୍ଥାନାନ୍ତର କରାଯାଇଛି। ଚୌଦ୍ବାରରେ ସ୍ଥାନ ଅଭାବ ଥିବାରୁ ଏଭଳି ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ଚୌଦ୍ବାର ସର୍କଲ ଜେଲ ଭିତରେ ଥିବା ପୁରୁଣା ମେଡିକାଲକୁ କରୋନା ସନ୍ଦିଗ୍ଧଙ୍କ ପାଇଁ ଆସୋଲେସନ ଓ୍ବାର୍ଡ କାରଯାଇଛି। ୩ଟି ରୁମରେ ୫୦ଟି ବେଡ ବିଶିଷ୍ଟ ଓ୍ବାର୍ଡରେ ଏବେ ୬ ଜଣ ସନ୍ଦିଗ୍ଧ କଏଦୀଙ୍କୁ ଭର୍ତ୍ତି କରାଯାଇଛି। ନୂଆ ମେଡିକାଲରେ ଆହୁରି ୨୦ଟି ସ୍ବତନ୍ତ୍ର ବେଡ ରଖାଯାଇଛି। ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ଘଟିବାରୁ ନୂଆ କଏଦୀଙ୍କୁ ଜେଲରେ ପ୍ରବେଶ କରିବା ଉପରେ ଗଲା ଏକ ସପ୍ତାହ ହେବ କଟକଣା ଜାରି କରାଯାଇଛି। ଦୈନିକ ପାଖାପାଖି ୩୦ ନୂଆ କଏଦୀ କୋର୍ଟରୁ ଆସୁଥିବା ବେଳେ ଏବେ ସଂଖ୍ୟା ଶୂନରେ ପହଞ୍ଚିଛି।
ଚୌଦ୍ବାର ଜେଲରେ ଦୋଷୀ ସାବ୍ୟସ୍ତ କଏଦୀ ୨୧୦ ଜଣ ରହିବାର ବ୍ୟବସ୍ଥା ଥିବା ବେଳେ ଅଛନ୍ତି ୨୩୪ । ଏମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ସାଲେପୁର ଜେଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୮ ଜଣଙ୍କୁ ଛଡ଼ାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ବିଚାରାଧୀନ କଏଦୀ ୬୯୫ ରହଣୀ ବ୍ୟବସ୍ଥା ଥିବାବେଳେ ଏବେ ୭୦୦ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୪ ଜଣଙ୍କୁ ଛଡାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

୭ ବର୍ଷରୁ କମ ଦଣ୍ଡ ଥିବା ମାମଲାରେ ସମ୍ପୃକ୍ତ ବିଚାରାଧୀନ କଏଦୀଙ୍କୁ ଜାମିନରେ ଛଡ଼ାଯିବା ସହିତ ୭ ବର୍ଷରୁ କମ ସଜା ପାଇଁ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ପିଆର୍ ବଣ୍ଡରେ ଛଡ଼ାଯିବ। ଜିଲ୍ଲା ଜଜ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ଏସପି/ଡିସିପି, ଜେଲ ଅଧୀକ୍ଷକଙ୍କୁ ନେଇ ଗଠିତ କମିଟିରେ ଏ କଏଦୀଙ୍କୁ ଖଲାସ ନେଇ ସମୀକ୍ଷା କରାଯିବ। କମିଟିର ନିଷ୍ପତ୍ତି ଆଧାରରେ ଚୌଦ୍ବାର ସର୍କଲ ଜେଲରୁ ଦୋଷୀ ସାବ୍ୟସ୍ତ ଓ ବିଚାରାଧୀନ କଏଦୀ ୯୨ରୁ ଅଧିକ ଛାଡ଼ ପାଇବାକୁ ଯାଉଛନ୍ତି। ଜେଲରେ ସ୍ଥାନ ଅଭାବ ଥିବାରୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ ସାଲେପୁର ଉପ-କାରାଗାରରେ ୨୦୬ କଏଦୀ ରହଣୀ ପାଇଁ ବ୍ୟବସ୍ଥା ଥିବାବେଳେ ଏବେ ମାତ୍ର ୩୪ ଜଣ ଅଛନ୍ତି। ତେଣୁ ସେଠାକୁ ଚୌଦ୍ବାର ଜେଲର ୫୦ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି। ଜେଲରେ ଦୋଷୀ ସାବ୍ୟସ୍ତ କଏଦୀ ଆବଶ୍ୟକଠାରୁ ଅଧିକ ରହିବାରୁ ସେମାନଙ୍କୁ ସାଲେପୁର ଜେଲକୁ ତୁରନ୍ତ ସ୍ଥାନାନ୍ତର କରିଦିଆଯାଇଛି। କରୋନା ପ୍ରକୋପ ରାଜ୍ୟରେ ହ୍ରାସ ପାଇବା ପରେ ସେମାନଙ୍କୁ ପୁଣି ଚୌଦ୍ବାର ଜେଲକୁ ଫେରାଇ ଅଣାଯିବ। ଜେଲ ଭିତରେ ଯେଭଳି ସଂକ୍ରମଣ ନବ୍ୟାପେ ସେଥିପ୍ରତି ଜେଲ କର୍ତ୍ତୃପକ୍ଷ ସତର୍କ ନଜର ରଖିଛନ୍ତି। ନିୟମିତ କଏଦୀଙ୍କ ଶାରୀରିକ ମୁଲାକାତ କାର୍ଯ୍ୟକ୍ରମକୁ ବି କାରାଗାର ବିଭାଗଙ୍କ ନିର୍ଦ୍ଦେଶ ଆଧାରରେ ବନ୍ଦ କରିଦିଆଯାଇଛି। ଗେଟ ବାହାରେ ଗାର୍ଡ ରୁମରେ ଅନଲାଇନରେ ଇ-ମୁଲାକାତ କରିବାକୁ ନିଷ୍ପତ୍ତି ନିଆଯାଇଛି। କୌଣସି କଏଦୀଙ୍କୁ ତାଙ୍କ ପରିବାର କିମ୍ବା ସମ୍ପର୍କୀୟ ଆଉ ସିଧାସଳଖ ଭେଟି ପାରିବେ ନାହିଁ। କାରାଗାର ବିଭାଗର ପୁନଃ ନିର୍ଦ୍ଦେଶ ଜାରି ନହେବା ଯାଏ ଇ-ମୁଲାକାତ ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର