ମାଲକାନଗିରି: ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ରାଜ୍ୟ ସରକାରଙ୍କ ଏକ ଦୀର୍ଘବର୍ଷର ପରିକଳ୍ପନା ଏଯାବତ୍ କାର୍ଯ୍ୟକାରୀ ହୋଇନାହିଁ। ମାଓ ଅଧ୍ୟୁଷିତ ଏହି ଅଞ୍ଚଳରେ ଏକ ପୋଲ ନିର୍ମାଣ ପାଇଁ ସରକାର ଯୋଜନା କରିଥିଲେ। ୯୧୦ ମିଟରର ଏହି ପୋଲ ପାଇଁ ୪ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲେ। ମାଓବାଦୀ କାର୍ଯ୍ୟକଳାପ ଯୋଗୁ ଏହାର ନିର୍ମାଣ ନ ହୋଇ ଅଟକି ରହିଥିଲା। ୨୦୧୪ ମସିହାରୁ ପୁନଃ ଉଦ୍ୟମ କରିବା ସହିତ ଇତିମଧ୍ୟରେ ପ୍ରକଳ୍ପ ମୂଲ୍ୟ ୪୩ ଗୁଣା ବୃଦ୍ଧି କରିଛନ୍ତି। ତଥାପି, ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଇତିମଧ୍ୟରେ ନିର୍ଦ୍ଧାରିତ ସମୟସୀମା ଶେଷ ହୋଇସାରିଛି। ତଥାପି ଏହି ପ୍ରତୀକ୍ଷିତ ପ୍ରକଳ୍ପ କେବେ ବାସ୍ତବ ସ୍ପର୍ଶ ପାଇବ ତାହାକୁ ନେଇ ସନ୍ଦେହ ରହିଛି।
ସୂଚନା ଅନୁସାରେ, ୨୦୧୪ ମସିହାରେ ପ୍ରକଳ୍ପକୁ ପୁଣି ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇ ପୂର୍ବ ବ୍ୟୟ ଅଟକଳକୁ ୧୩ ଗୁଣ ବଢାଇ ଦେଲେ। ଅର୍ଥାତ୍ ୫୨ କୋଟି ଟଙ୍କାରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜେମାନ ଇଣ୍ଡିଆ ନାମକ ଠିକା ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। କିନ୍ତୁ କାମ ଆରମ୍ଭ ବେଳକୁ ପୁଣି ପ୍ରତିବନ୍ଧକ ସାଜିଲେ ମାଓବାଦୀ। ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପ ନକ୍ସଲଙ୍କ ଲଙ୍କାକାଣ୍ଡରେ ପାଉଁଶ ହୋଇଗଲା। ଯାହାଫଳରେ ବାଧ୍ୟ ହୋଇ ଠିକା ସଂସ୍ଥା ପ୍ରକଳ୍ପ କାମ ଛାଡି ଚାଲିଗଲା। ଅନ୍ୟପକ୍ଷରେ, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ପାଇଁ ବ୍ୟଗ୍ର ସରକାର ପୁଣି ପ୍ରକଳ୍ପର ମୂଲ୍ୟକୁ ବଢାଇ ଦେଲେ। ୧୦୨କୋଟି ଟଙ୍କାରେ ଟେଣ୍ଡର ଆହ୍ଵାନ କରାଯିବା ସତ୍ତ୍ୱେ କୌଣସି ସଂସ୍ଥା ଆଗ୍ରହ ପ୍ରକାଶ କରି ନଥିଲେ। ତେଣୁ ସରକାର କଲିକତାର ରୋୟାଲ ଇନ୍ଫ୍ରା ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଲେ। ୧୦୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ ରାଜ୍ୟ ରାଜକୋଷରୁ ୧୭୨କୋଟି ଟଙ୍କା ଦେବାକୁ ଘୋଷଣା କରି ଚୁକ୍ତି ସ୍ୱାକ୍ଷର କଲେ। ୩ ବର୍ଷର ଅବଧି ମଧ୍ୟରେ ଠିକାସଂସ୍ଥା ରୋୟାଲ ଇନଫ୍ରା କାମ ଶେଷ କରିବାକୁ ଚୁକ୍ତି କରିଥିଲେ ହେଁ ବାରମ୍ବାର ସମୟ ଗଡାଇ ଚାଲିଛି। ୨୦୧୭ମସିହା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା କାମ ସଂପୂର୍ଣ୍ଣ ନିମନ୍ତେ ନିର୍ଧାରିତ ହୋଇଥିଲେ ହେଁ ୨୦୧୮ ଏପ୍ରିଲ ସୁଦ୍ଧା ଶେଷ ହୋଇପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Malkangiri-Gurupriya-Setu.jpg)