ଭୁବନେଶ୍ବର: ପୁରୀରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ଆକଳନ କରିଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ବରଂ ଶ୍ରୀକ୍ଷେତ୍ରରେ ଆଜି ମେଘୁଆ ପାଗ ରହିବା ସହ ଝିପିଝିପି ବର୍ଷା ପଡ଼ିଛି। ଶୁଖିଲା ପାଗ ଓ ପ୍ରବଳ ଗୁଳୁଗୁଳି ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରଥମ ଦିନ ଶେଷ ହୋଇଛି। ଅଧା ବାଟରେ ଅଟକି ରହିଥିବା ତିନି ରଥଙ୍କୁ ସୋମବାର ସରଧାବାଲିକୁ ଟାଣି ନିଆଯିବ। ଏହି ସମୟ ମଧ୍ୟରେ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆଜି ପୁଣିଥରେ ଆକଳନ କରିଛି। ତେବେ ଆଜି ଦିନ ସମୟରେ ଭୁବନେଶ୍ବର, କଟକ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୫୨.୬ ମିମି ବର୍ଷା ହୋଇଛି। ଏହାବ୍ୟତୀତ କଟକରେ ୪୬.୨, ଯାଜପୁରରେ ୨୦, ଫୁଲବାଣୀରେ ୧୬.୮, ଗୋପାଳପୁରରେ ୧୬, ଦାରିଙ୍ଗବାଡ଼ିରେ ୧୨, ଖୋର୍ଦ୍ଧାରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ାରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଆସନ୍ତା ୫ ଦିନ ଯାଏଁ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୮ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରୁ ବର୍ଷା କମିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ୧୧ ତାରିଖରୁ ପୁଣିଥରେ ବର୍ଷା ବଢ଼ିପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳରେ ବିଶେଷ ବର୍ଷା ହେବାର ନାହିଁ। ୮ ତାରିଖରେ ଭୁବନେଶ୍ବରରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ପୁରୀରେ ପାଗ ମୁଖ୍ୟତଃ ମେଘମୁକ୍ତ ରହିପାରେ। ଉପରବେଳା ସ୍ବଳ୍ପ ବର୍ଷା ହେବ। ୮ ଓ ୯ ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୧୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ। ‌ତେଣୁ ଚାଷୀ ଭାଇମାନେ ବୁଣାବୁଣି ଶେଷ କରନ୍ତୁ। ମାଟି ବତର କମିବ ନାହିଁ।