ଆଜି ଖସିବ ରାଜ୍ୟର ଦିନ ତାପମାତ୍ରା; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀଜନିତ ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବାମ୍‌ରାଠାରେ ସର୍ବାଧିକ ୩୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତା’ ପରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ନାହିଁ। ବିଶେଷ ଭାବେ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ସର୍ବାଧିକ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଏହାପରେ ଧୀରେଧୀରେ ତାପମାତ୍ରାରେ ବୃଦ୍ଧି ‌‌ଦେଖାଯିବ ଓ ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ମୁତାବକ ଗତକାଲି ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ, ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଦିନ ତାପମାତ୍ରା ଅପେକ୍ଷାକୃତ ଖସିବ ବୋଲି ଆକଳନ କରାଯାଉଛି। କିନ୍ତୁ ରାତି ତାପମାତ୍ରା‌ରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବି‌ଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତାକାଲି ରାଜଧାନୀର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର