ଭୁବନେଶ୍ବର: ଝାଡ଼ଖଣ୍ତ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଗୁରୁବାର ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ଼, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କଳାହାଣ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ‌ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନ ସଜାଗ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ସର୍ବାଧିକ ୫୮.୪ ମିମି ବର୍ଷା ହୋଇଛି।ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ବାରିପଦାରେ ସର୍ବାଧିକ ୧୨୧ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୧୭.୪, ଝାରସୁଗୁଡ଼ାରେ ୧୭.୪, ଜଗତ୍‌ସିଂହପୁରରେ ୧୭, ନବରଙ୍ଗପୁରରେ ୧୩, ଭଦ୍ରକରେ ୧୩, ନୟାଗଡ଼ରେ ୧୩, କୋରାପୁଟରେ ୧୧.୮, ଚାନ୍ଦବାଲିରେ ୧୧.୭, ପାରାଦୀପରେ ୧୧.୩, ଭବାନୀପାଟଣାରେ ୧୦.୬, ବରଗଡ଼ରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି।