ଭୁବନେଶ୍ବର: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆହୁରି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାଂଲାଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୫ ତାରିଖ ବେଳକୁ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେଇପା‌ରେ। ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ସକାଳଠାରୁ ୧୪ ତାରିଖ ପୂର୍ବାହ୍ନ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ଏବଂ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବଜ୍ରପାତ ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିପାରେ।

Advertisment

ପରବର୍ତ୍ତୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ଦ୍ବାରା ଜଳବନ୍ଦୀ ସମସ୍ୟା, କମ୍‌ ଦୃଶ୍ୟମାନ ହେବା, କଚ୍ଚା ରାସ୍ତା ନଷ୍ଟ ହେବା, ପାହାଡ଼ ଧସିବା ପରି ସମସ୍ୟା ସୃଷ୍ଟି ହୋଇପାରେ। ‌ତେଣୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ କରାଯାଇଛି। ଏହି ସମୟରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗର ସହ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ବୋଲି ଆକଳନ କରାଯାଇଛି।