ଚାଷୀଙ୍କ ପେଟକୁ ଲାତ ମାରୁଛି ବିପର୍ଯ୍ୟୟ

ଧାନ ସଂଗ୍ରହ ହାର ବୃଦ୍ଧି ନେଇ ଆଶଙ୍କା

ଭୁବନେଶ୍ୱର: ଗତ ଖରିଫ ବିପଣନ ଋତୁ(୨୦୧୬-୧୭)ରେ ୪୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ଖରିଫ ଋତୁରେ ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଆଦି ଗୋଟିକ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ମରୁଡ଼ି କବଳିତ ଲକ୍ଷ ଲକ୍ଷ ହେକ୍ଟର ଜମିରେ ଧାନ ଗଛ କେଣ୍ଡା ଧରିବା ପୂର୍ବରୁ ହଳଦିଆ ପଡ଼ି ଜଳିଗଲା। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମରୁଡ଼ି ପରେ ଚକଡ଼ା ରୋଗପୋକ, ଶେଷରେ ଅଦିନିଆ ବର୍ଷା ଦାଉ ସାଧିଲା। ଏହା ଖୋଦ୍‌ ସରକାରଙ୍କ ଆଖିଦେଖା ରିପୋର୍ଟରୁ ସ୍ପଷ୍ଟ। ଏହା ସତ୍ତ୍ୱେ ଗତବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ହାର ବଢ଼ିଛି। ରାଜ୍ୟ ସରକାର କିପରି ଅଧିକ ପରିମାଣର ଧାନ ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତିି? ସେ ପଟେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ହେଉ ବା ବଲାଙ୍ଗୀର ଆଦି ଅଧିକ ପରିମାଣରେ ଧାନ ସଂଗ୍ରହ ହେଉଥିବା ଜିଲ୍ଲାଗୁଡ଼ିକରେ ଧାନ ସଂଗ୍ରହ ହାର ଗତବର୍ଷ ତୁଳନାରେ କମିଛି। ଏଥିରୁ ମରୁଡ଼ି ଧାନ ଚାଷୀମାନଙ୍କୁ ବିପଦ ମୁହଁକୁ ଠେଲି ଦେଇଥିବା ଦେଖିବାକୁ ମିଳିଛି।

ସରକାରୀ ସୂତ୍ର ମୁତାବକ ଆଜି ପର୍ଯ୍ୟନ୍ତ ୩୪.୭୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଖରିଫ ବିପଣନ ଋତୁରେ ଏହି ସମୟ ବେଳକୁ ୩୨.୬୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଅର୍ଥାତ୍‌ ଗତବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ହାର ୬ ପ୍ରତିଶତ ଅଧିକ। କିନ୍ତୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ବନ୍ଦ ହୋଇସାରିଥିବା ବେଳେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ନୂଆପଡ଼ା ଆଦି ଜିଲ୍ଲାରେ ଧାନ ସଂଗ୍ରହ ବନ୍ଦ ଘୋଷଣା କେବଳ ବାକି। ଚଳିତ ଖରିଫ ଋତୁରେ ଆଜି ସୁଦ୍ଧା ବରଗଡ଼ ଜିଲ୍ଲାରେ ୪.୮୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଗତ ଖରିଫ ଋତୁରେ ବର୍ତମାନ ସୁଦ୍ଧା ସଂଗ୍ରହ ହୋଇଥିଲା ୫.୫୩ ଲକ୍ଷ ମେଟ୍ରିକ ଟନ୍‌। ବଲାଙ୍ଗୀର ଜିଲ୍ଲାରେ ବର୍ତମାନ ସୁଦ୍ଧା ୧.୬୧ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣା ଯାଇଥିବା ବେଳେ ଗତବର୍ଷ ଏହି ସମୟ ବେଳକୁ ୨.୩୮ ଲକ୍ଷ ମେଟ୍ରିକ ଟନ୍‌ ସଂଗୃହୀତ ହୋଇଥିଲା। ସେହପରି ନୂଆପଡ଼ା ଜିଲ୍ଲାରେ ଗତବର୍ଷ ୯୩୨୪୭ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏଥର ବର୍ତମାନ ସୁଦ୍ଧା ହୋଇଛି ୬୭୭୬୮ ମେଟ୍ରିକ ଟନ୍‌। ସମ୍ବଲପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ୩.୦୬ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣା ହୋଇଛି। ଗତବର୍ଷ ଏହି ସମୟ ବେଳକୁ ୩.୨୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା।

ପଶ୍ଚିମ ଓଡ଼ିଶାର ଏ ସବୁ ଜିଲ୍ଲାରେ ଅଧିକ ପରିମାଣରେ ଧାନ ସଂଗ୍ରହ ହୋଇଥାଏ। କିନ୍ତୁ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ହାର ଭୀଷଣ ମାତ୍ରାରେ କମିଥିବାରୁ ଏହା ମରୁଡ଼ି, ରୋଗପୋକର ପ୍ରତିଫଳନ ବୋଲି କୁହାଯାଇପାରେ। ସରକାରୀ ତଥ୍ୟ ଅନୁଯାୟୀ ବରଗଡ଼ ଜିଲ୍ଲାରେ ୯୧ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ପରିମାଣର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଏହାର ହାର ପ୍ରାୟ ୧ ଲକ୍ଷ ହେକ୍ଟରରୁ ଅଧିକ। ନୂଆପଡ଼ା ଜିଲ୍ଲାରେ ୬୧ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ପରିମାଣର ଧାନ ଚାଷ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ ଯେ ଏଥର ଖରିଫ ଋତୁରେ ବର୍ତମାନ ସୁଦ୍ଧା ସଂଗୃହୀତ ଧାନର ମୂଲ୍ୟ ୫୩୮୦ କୋଟି ଟଙ୍କା। ଏଥିମଧ୍ୟରୁ ଚାଷୀମାନଙ୍କୁ ମିଳିଛି ୫୨୬୦ କୋଟି ଟଙ୍କା। ଚଳିତ ଖରିଫ ଋତୁ ନିମନ୍ତେ ୪୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି। ନିୟମ ମୁତାବକ ଏପ୍ରିଲ ୩୦ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ। ଧାନ ସଂଗ୍ରହ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୧୧.୨୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬.୪୦ ଲକ୍ଷ ଚାଷୀ ଧାନ ବିକ୍ରି କାରବାରରେ ଭାଗ ନେଇଛନ୍ତିି। ସମଗ୍ର ରାଜ୍ୟରେ ମୋଟ ୨୯୨୬ ସଂଖ୍ୟକ ମଣ୍ଡି ଖୋଲାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ୨୪୮୪ ପ୍ରାଥମିକ କୃଷି ସମବାୟ ସମିତି ଅଂଶଗ୍ରହଣ କରୁଛନ୍ତି। ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ସରିଆସିଥିବା ବେଳେ ଉପକୂଳ, ଦକ୍ଷିଣ ଓଡ଼ିଶାରେ ଏହା ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର