ସମ୍ବଲପୁର : ବିବାଦଘେରରେ ଛନ୍ଦି ହୋଇଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏଥର ତାଙ୍କ ଦରମା ବନ୍ଦ କରିଦିଆଯାଇଛି। ଏପଟେ ସେ ପୁଣି ତାଙ୍କର ଛୁଟି ବଢ଼ାଇଥିବା ଜଣାପଡ଼ିଛି।

Advertisment

ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଯୋଗଦେବା ପରଠାରୁ ବିବାଦ ଘେରରେ ଛନ୍ଦି ହୋଇଆସୁଛନ୍ତି କୁଳପତି ପ୍ରଫେସର ସଂଜୀବ ମିତ୍ତଲ। ବିଲାସପୁରସ୍ଥିତ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ ପକ୍ଷରୁ ‌ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ପ୍ରଦତ୍ତ ୩୩ ଲକ୍ଷ ୪୪ ହଜାର ଟଙ୍କା ମଧ୍ୟରୁ ପ୍ରଫେସର ମିତ୍ତଲ ୨୯ ଲକ୍ଷ ଟଙ୍କା ନିଜର ନିକଟ ସଂପର୍କୀୟଙ୍କୁ ପଠାଇ ସେ ନିଜପାଇଁ ବଡ଼ ବିପଦ ଡାକି ଆଣିଥିଲେ। ଆଗରୁ ତାଙ୍କ ବିରୋଧରେ ଅନ୍ୟ କେତେକ ଅଭିଯୋଗ ଆସିଥିଲା। ତାଙ୍କ ସମୟରେ ବିଶ୍ବବିଦ୍ୟାଳୟ ବିଭିନ୍ନ କାରଣରୁ ଅନେକ ଦୁର୍ନାମ ବି ମୁଣ୍ଡାଇଥିଲା। ତଥାପି, ତାଙ୍କୁ ସବୁବେଳେ ଭାଗ୍ୟ ସହଯୋଗ କରୁଥିଲା। ହେଲେ, ଏଥର ସେ ଆଉ ବର୍ତ୍ତି ପାରିନଥିଲେ। ପ୍ରଥମେ ନିଜ ନାମରେ ଥିବା ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟରେ ୨୯ ଲକ୍ଷ ଟଙ୍କା ଫେରସ୍ତ କରିଥିବାବେଳେ ପରେ ପୁଣି ଚାପରେ ଆସି ବିଶ୍ବବିଦ୍ୟାଳୟର ମୂଳ ଆକାଉଣ୍ଟରେ ଏହି ଅର୍ଥ ଜମା କରିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ, ବିବାଦୀୟ ସ୍ଥିତି ଯୋଗୁ ସେ ଗତ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିଲେ। ୩୧ ତାରିଖ ରବିବାର ଛୁଟିଦିନ ଥିବାବ‌େଳେ ଆଜିଠାରୁ ପୁଣି ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କ ଛୁଟି ବଢ଼ାଇଛନ୍ତି। ଗତ ଶୁକ୍ରବାର ଦିନ ଜ୍ୟୋତିବିହାର ଅତିଥିଶାଳା ଛାଡ଼ି ନିଜ ଘରକୁ ଯିବାସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ବି ପ୍ରଚାର ହୋଇଥିଲା। ଏହାର ଦୁଇଦିନ ଆଗରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚର ବିଭିନ୍ନ ସ୍ଥାନରେ ତାଙ୍କ ‌ପୋଷ୍ଟର ଲଗାଇ ଗିରଫ ଦାବି କରାଯାଇଥିଲା। ଏପଟେ ପ୍ରଫେସର ମିତ୍ତଲ ଜୁଲାଇ ମାସର ଦରମା ବନ୍ଦ କରିଦିଆଯାଇଛି। ଦରମା ବନ୍ଦ କରାଯିବାର କାରଣ ସଂପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇନଥିଲେ ହେଁ ଆର୍ଥିକ ଅନିୟମିତତା କାରଣରୁ ଏଭଳି କରାଯାଇଥିବା ଚର୍ଚ୍ଚା ଚାଲିଛି।

ମାତ୍ର , ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ ହେଁ ସରକାର କିନ୍ତୁ ନିରବ ରହିଛନ୍ତି। ତାଙ୍କ ସମୟରେ କ୍ରୟ କରାଯାଇଥିବା ବିଭିନ୍ନ ସାମଗ୍ରୀରେ ଅଡିଟ୍ କରାଇବାକୁ ଦାବି ହେଉଥିଲେ ବି ସରକାର ଆଶ୍ଚର୍ଯ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି। ଦୁର୍ନୀତି ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଳମ୍ବନ କରୁଥିବା କହୁଥିବାବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଦୋହରାନୀତି ଆପଣାଯାଉଥିବା ଚର୍ଚ୍ଚା ଚାଲିଛି।