ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ କରିବାକୁ ଏକ ନୀତି ନିର୍ଘଣ୍ଟ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ୪ ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନର ବ୍ୟବସ୍ଥା କରାଯାଉ। ଏଥିପାଇଁ ପାଠ୍ୟକ୍ରମ, ସରଞ୍ଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ। ଏନ୍‌ଇପି ଅଧୀନରେ ପ୍ରଶିକ୍ଷଣ, ପ୍ରକଳ୍ପ କାର୍ଯ୍ୟ, ଇଣ୍ଟର୍ନସିପ୍‌ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Advertisment

ରାଜଭବନରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହୋଇଥିଲେ ମଧ୍ୟ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ନ ରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏଦିଗରେ ଉଦ୍ୟମ ହେବା ଦରକାର। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷାସ୍ତରରେ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ ସେଲ୍‌ ପ୍ରତିଷ୍ଠା କରିବାକୁ ପଡ଼ିବ। ବହୁ ସଂଖ୍ୟାରେ ପେଣ୍ଟେଟ୍‌ ହାସଲ ପାଇଁ ଉଦ୍ୟମ କରାଯାଉ। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ସହ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଥିଲେ। କୁଳାଧିପତି ଆହୁରି କହିଥିଲେ ଯେ ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ରାଜ୍ୟର ଜନସଂଖ୍ୟାର ପ୍ରାୟ ୨୩ ଭାଗ। ସେମାନଙ୍କ ଭାଷା, ସଂସ୍କୃତି, ଗୀତ, ସଙ୍ଗୀତ, ଜୀବନଶୈଳୀ ଓ ଆଚାର ବ୍ୟବହାର ସମ୍ପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ସଂଗ୍ରହାଳୟ ପ୍ରତିଷ୍ଠା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ସେଗୁଡ଼ିକର ଉପଯୋଗ କରି ଭଲ ଗ୍ରେଡ୍ ହାସଲ ସହ ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଠିକ୍‌ ସମୟରେ ପରୀକ୍ଷା କରିବା ସହ ଫଳ ପ୍ରକାଶ ଓ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ରାଜ୍ୟପାଳ ଶ୍ରୀ ଦାସ କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଇ-ଗଭର୍ଣ୍ଣାନ୍‌ସ ଉପରେ ଅଧିକ ଗୁରୁତ୍ବ
ଜନଜାତିଙ୍କ ଉପରେ ଗବେଷଣା ହେଉ
ଭାଗନେଲେ ସରକାରଙ୍କ ୭ ବିଭାଗର ସଚିବ

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ମତ ରଖିଥିଲେ। କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ଓ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।
ସମ୍ମିଳନୀ ସଂପର୍କରେ ‘ସମ୍ବାଦ’କୁ ସୂଚନା ଦେଇ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଲାଗୁ ଉପରେ କୁଳାଧିପତି ଅଧିକ ଗୁରୁତ୍ବ ଦେବା ସହ ବିଶ୍ବବିଦ୍ୟାଳୟରେ ଇ-ଗଭର୍ଣ୍ଣାସ୍‌ ଲାଗୁ କରିବାକୁ କହିଛନ୍ତି। ପିଲାଙ୍କ ପରୀକ୍ଷା ଓ ଫଳ ପ୍ରକାଶ ଠିକ୍‌ ସମୟରେ ପ୍ରକାଶ, ନାକ୍‌ରେ ପିଲାଙ୍କର ପ୍ରଦର୍ଶନ କେମିତି ବହୁତ ଭଲ ରହିବ ତାହା ଉପରେ ଆଲୋଚନା ହୋଇଛି। ଏନ୍‌ଇପି ଲାଗୁ ହେବା ପରେ ସବୁ କିଛି ସ୍ବଭାବିକ ହୋଇଯିବ ଏଥିରେ କୌଣସି ଅସୁବିଧା ନାହିଁ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, କୁଳାଧିପତିଙ୍କ ସହ ଆଜି ପ୍ରଥମ ସାକ୍ଷାତକାର ହୋଇଛି। ମୁଖ୍ୟତଃ ୫ଟି ବିଷୟରେ ଆଲୋଚନା କରାଯାଇଛି। ଏନ୍‌ଇପି ଲାଗୁ କେମିତି ହୋଇଛି, ପରୀକ୍ଷା ପରିଚାଳନା କିଭଳି ହେଉଛି, ଗବେଷଣା ଉପରେ ବିଶ୍ୱବିଦ୍ୟାଳୟର ସ୍ଥିତି କିଭଳି ରହିଛି ଏନେଇ ଆଲୋଚନା ହୋଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଛନ୍ତି, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ କିଭଳି ବୃଦ୍ଧି ହୋଇପାରିବ, କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରହିବ ତାହା ଉପରେ ଆଲୋଚନା ହୋଇଛି। ବିଶ୍ୱବିଦ୍ୟାଳୟର କର୍ମଚାରୀ ସଂଖ୍ୟା ଓ ଭିତ୍ତିଭୂମି କିଭଳି ବୃଦ୍ଧି ହେବ ସେନେଇ ଆଜିର ସମ୍ମିଳନୀରେ ବ୍ୟାପକ ବିଚାରବିମର୍ଶ କରାଯାଇଛି। ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ କିଭଳି ବିଶ୍ୱସ୍ତରରେ ନାଁ କମେଇପାରିବ ତାହା ଉପରେ ଗୁରୁତ୍ବ ଦେବାକୁ କୁଳାଧିପତି ମାର୍ଗଦର୍ଶନ କରିଛନ୍ତି।