ନଭେମ୍ୱରରେ ମନ୍ଦିର ଖୋଲିବା ସମ୍ଭାବନା କ୍ଷୀଣ

ସରକାର ସବୁଜ ସଂକେତ ଦେବା ପରେ ବି ଅନିଶ୍ଚିତତା, ବିପଦ ବରଣ କରିବାକୁ ଜିଲ୍ଲା ପ୍ରଶାସନ ଅମଙ୍ଗ

ଭୁବନେଶ୍ୱର : ଦୀର୍ଘ ୮ ମାସ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବା ପରେ ଆଜି ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ତେବେ ସରକାର ବିଭିନ୍ନ ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିବାରୁ ମନ୍ଦିର ଖୋଲିବା ପ୍ରସଙ୍ଗ ପୁଣି ଝୁଲି ରହିଛି। ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ ଏ ନେଇ କୌଣସି ଜିଲ୍ଲାରେ ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ି ନାହିଁ। ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି। ତେବେ ପ୍ରାୟ ସମସ୍ତ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ବିପଦ ବରଣ କରିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ତେଣୁ ନଭେମ୍ବର ୩୦ ଯାଏ ଧର୍ମାନୁଷ୍ଠାନ ଖୋଲିବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି।

ଗତ ମାସରେ ମନ୍ଦିର ଖୋଲିବା ନେଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ବୈଠକ ବି ହୋଇଥିଲା। କିଛି ମନ୍ଦିର କମିଟି ମନ୍ଦିର ନ ଖୋଲିବାକୁ ସମର୍ଥନ ଜଣାଇଥିଲା ବେଳେ କିଛି କମିଟି ଏହାକୁ ବିରୋଧ କରିଥିଲେ। ଫଳରେ ମନ୍ଦିର ଖୋଲିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପ୍ରଶାସନ ପହଞ୍ଚି ପାରି ନ ଥିଲା। ଆଜି ଅନ୍‌ଲକ୍-୬ ପର୍ଯ୍ୟାୟରେ ପୁଣି ସେହି ଜିଲ୍ଲା ପ୍ରଶାସନ ହାତରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି।

ପୁରୀରେ ଶ୍ରୀମନ୍ଦିରରେ ନଭେମ୍ବର ମାସରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତଙ୍କ ଭିଡ଼ ଦୃଷ୍ଟିରୁ ଭକ୍ତଙ୍କ ନିମନ୍ତେ ମନ୍ଦିର ଖୋଲିବ ନାହିଁ ବୋଲି ଏକରକମ ସ୍ପଷ୍ଟ ହୋଇଛି। ସମ୍ବଲପୁର ଜିଲ୍ଲାରେ ଡିସେମ୍ବର ପର୍ଯ୍ୟନ୍ତ ମା’ ସମଲେଶ୍ବରୀଙ୍କ ମନ୍ଦିର ସମେତ କୌଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ। କିଛିଦିନ ପୂର୍ବରୁ ସବୁ ପ୍ରମୁଖ ଧର୍ମାନୁଷ୍ଠାନର ପ୍ରତିନିଧିମାନେ ନିଜ ଆଡ଼ୁ ଏଭଳି ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନଙ୍କ ନିଷ୍ପତ୍ତି ଓ ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ପର୍ଯ୍ୟନ୍ତ ସବୁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା କହିଛନ୍ତି। ଗଞ୍ଜାମ, ନବରଙ୍ଗପୁର, ଅନୁଗୁଳ ଭଳି ଜିଲ୍ଲାରେ ନଭେମ୍ବରରେ କୌଣସି ମନ୍ଦିର ଖୋଲିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଖୋର୍ଧା ସମେତ କିଛି ଜିଲ୍ଲାରେ ମନ୍ଦିର କମିଟି, ଜନପ୍ରତିନିଧି, ପୁଲିସ୍‌ ପ୍ରଶାସନକୁ ଡାକି ମତ ନେବା ପରେ ମନ୍ଦିର ଖୋଲିବା ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଥିବାରୁ ସେପର୍ଯ୍ୟନ୍ତ କୌଣସି ମନ୍ଦିର ଖୋଲାଯିବ ନାହିଁ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନଥିଲେ ହେଁ କେହି ମନ୍ଦିର ଖୋଲିବା ସପକ୍ଷରେ ନଥିବା ସୂଚନା ମିଳିଛି।

ବିରଜା କ୍ଷେତ୍ରରେ ସ୍ଥିତି ଦେଖି ନିଷ୍ପତ୍ତି
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା କ୍ଷେତ୍ର ଭକ୍ତଙ୍କ ନିମନ୍ତେ ଆସନ୍ତାକାଲି ଖୋଲାଯିବ ନାହିଁ। ପରିବେଶ ଓ ପରିସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ଯାହା ନିଷ୍ପତ୍ତି ଜଣାଇବ, ମନ୍ଦିର ପରିଚାଳନା ଟ୍ରଷ୍ଟ୍ ପକ୍ଷରୁ ତାହା ପାଳନ କରାଯିବ।
ନାରାୟଣ ଚନ୍ଦ୍ର ଧଳ (ମନ୍ଦିର ଟ୍ରଷ୍ଟି ଓ ଉପଜିଲ୍ଲାପାଳ)

ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବୁ
କୋଭିଡ୍‌ କଟକଣା ପାଇଁ ପ୍ରଶାସନ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବୁ। ୮ମାସ ହେଲା ଭକ୍ତମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ତେବେ କରୋନା ଭୟାବହତାକୁ ମଧ୍ୟ ଅଣଦେଖା କରିବୁ ନାହିଁ। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର କଟକଣାକୁ ମାନିବୁ।
ଶ୍ରୀବତ୍ସ ମଲ୍ଲିକ (ସୁରେଶ୍ବରୀ ମନ୍ଦିର ବୋର୍ଡ ସଭ୍ୟ)

ନିକଟରେ ଝଙ୍କଡ଼ ଶାରଳା ପୀଠ ଖୋଲିବା ନିଷ୍ପତ୍ତି ହୋଇ ନାହିଁ
ଝଙ୍କଡ଼ ଶାରଳା ପୀଠ ଖୋଲିବା ନେଇ ବର୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଗକୁ ଉପନିର୍ବାଚନ ଥିବାରୁ ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ମୁତାବକ ମନ୍ଦିର ଭକ୍ତଙ୍କ ‌ପାଇଁ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ।
ସୌର୍ଯ୍ୟରଂଜନ ପରିଜା, (ଶାରଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ)

ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରିଛୁ
ବହୁବାର ପ୍ରତିବାଦ ଓ ଆନ୍ଦୋଳନପରେ ଆଜି ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ମନ୍ଦିର ଓ ଅନ୍ୟ ଉପାସନା କ୍ଷେତ୍ର ଖୋଲିବାକୁ ନିଷ୍ପତ୍ତି ନେବା ସ୍ବାଗତଯୋଗ୍ୟ। ବର୍ତମାନ ସ୍ଥାନୀୟ ପ୍ରଶାସନ କେତେ ଦୂର ଏହାକୁ ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିଲେ ବି ପୂଜକ ଓ ସେବାୟତମାନେ ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ସରକାର ‌ଚିନ୍ତା ନକରିବା ବହୁତ କଷ୍ଟ ଦେଉଛି। ତେଣୁ ଯଦି ଭକ୍ତଙ୍କ ନିମନ୍ତେ ଆଗାମୀ ଦିନ‌ରେ ମନ୍ଦିର ଖୋଲା ନହୁଏ କିମ୍ବା ସେବାୟତଙ୍କୁ ସହାୟତା ନଦିଆଯାଏ ପୁଣି ବାଧ୍ୟ ହୋଇ ପ୍ରତିବାଦ କରିବୁ।
କାମେଶ୍ବର ତ୍ରିପାଠୀ , (ସଭାପତି, ଓଡ଼ିଶା ମନ୍ଦିର ସେବାୟତ ସଂଘ)

ସମ୍ବନ୍ଧିତ ଖବର