ବ୍ରହ୍ମପୁର: ପୁଲିସର ଅପରାଧ ଦମନ ଅଭିଯାନକୁ ଚ୍ୟାଲେଞ୍ଜ୍ ଦେଇ ବ୍ରହ୍ମପୁର ସହରରେ ପୁଣି ଅପରାଧୀ ଗ୍ୟାଙ୍ଗ୍ ଖୁଲମଖୁଲା ଆତଙ୍କ ଖେଳାଇଛନ୍ତି। ଜଣେ ଯୁବକଙ୍କୁ ସର୍ବସାଧାରଣରେ ଛକ ଉପରୁ ଉଠାଇ ନେବା ପରେ ବିଳମ୍ବିତ ରାତିରେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ବଡ଼ବଜାର ଥାନା ଅଧୀନ ଲକ୍ଷ୍ମୀନୃସିଂହ ସାହିର ସନ୍ତୋଷ ପାଣିଗ୍ରାହୀଙ୍କ ପୁଅ ବିଦ୍ୟାଧର ପାଣିଗ୍ରାହୀ (୨୧)। ସାନବଜାର ଛକରୁ ବିଦ୍ୟାଧରଙ୍କୁ ଏହି ଗ୍ୟାଙ୍ଗ୍ ଅପହରଣ କରିନେବା ପରେ ଜଗବନ୍ଧୁ ସାହିର ଏକ ଆପାର୍ଟମେଣ୍ଟ୍ ନିକଟ ରାସ୍ତା ମଝିରେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ହାଣି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଦ୍ୟାଧରଙ୍କ ସାଙ୍ଗ ନରସିଂହ ସାହୁ ମଧ୍ୟ ଆହତ ହୋଇଛନ୍ତି।
ପ୍ରାଥମିକ ତଦନ୍ତ ଓ ଆହତ ନରସିଂହଙ୍କ ବୟାନ ଅନୁସାରେ, ଗତକାଲି ରାତିରେ ବିଦ୍ୟାଧର ଓ ନରସିଂହଙ୍କ ସମେତ ୪ ଜଣ ଯୁବକ ବ୍ରହ୍ମପୁର ଷ୍ଟେସନ୍ ନିକଟକୁ କୌଣସି କାମରେ ଦୁଇଟି ବାଇକ୍ରେ ଯାଇଥିଲେ। ସେଠାରୁ ଫେରି ସାନବଜାର ଛକରେ କିଛି ସମୟ ପାଇଁ ଅଟକିଥିଲେ। ଦୁଇଜଣ ସାଙ୍ଗ ପଳାଇଥିବା ବେଳେ ବିଦ୍ୟାଧର ଓ ନରସିଂହ ଛିଡ଼ା ହୋଇଥିଲେ। ଏହି ସମୟରେ ତିନିଟି ବାଇକ୍ରେ ୬ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କୁ ଧମକଚମକ ଦେବା ସହ ଅପହରଣ କରି ନେଇଥିଲେ। ସେଠାରୁ କିଛି ଦୂର ଜଗବନ୍ଧୁ ସାହି ନିକଟ ଆପାର୍ଟମେଣ୍ଟ୍ ରାସ୍ତା ଉପରେ ଖଣ୍ଡା ଓ ମାରଣାସ୍ତ୍ରରେ ବିଦ୍ୟାଧରଙ୍କୁ ସଂଘବଦ୍ଧ ଭାବେ ହାଣି ଫେରାର ହୋଇ ଯାଇଥିଲେ। ଖଣ୍ଡା ମାଡ଼ରେ ନରସିଂହ ବି ଆହତ ହୋଇଥିଲେ। ରାତି ୨ଟା ବେଳେ ନରସିଂହ ବିଦ୍ୟାଧରଙ୍କ ଘରେ ପହଞ୍ଚି ତାଙ୍କ ବାପାଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପରିବାରବର୍ଗ ପହଞ୍ଚି ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ପ୍ରବଳ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଆହତଙ୍କ ବୟାନ ଅନୁସାରେ ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ଉ ଆରମ୍ଭ ହୋଇଛି। ମୃତକଙ୍କ ବାପା ସନ୍ତୋଷଙ୍କ ଏତଲା କ୍ରମେ ବଡ଼ବଜାର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଆକ୍ରମଣକାରୀଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।