ଲୁଦ୍ରିକାକୁ ମିଳିଲା ବୋହୂର ସ୍ୱୀକୃତି : ସସମ୍ମାନେ ମାଆ ଘରୁ ନିଜ ଘରକୁ ନେଇଗଲେ ଶାଶୁ ଶ୍ୱଶୁର

ଚନ୍ଦାହାଣ୍ଡି : ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦାଦନ ଖଟୁଥିବା ସମୟରେ ଚନ୍ଦାହାଣ୍ଡି ବ୍ଲକ ମୋତିଗାର ସିଙ୍ଗଲ ସାଇ ନେଙ୍ଗୀଙ୍କ ପୁଅ ଝଜକୁମାର ନେଙ୍ଗୀ ଓ ସେହି ଗ୍ରାମର ମହେଶ୍ବର ଟୋଲଟିଆଙ୍କ ଝିଅ ଲୁଦ୍ରିକା ଟୋଲଟିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଓ ପରେ ବିବାହ ହୋଇଥିଲା। ଏହାପରେ ଲୁଦ୍ରିକା ଗର୍ଭବତୀ ହେବା ସାଙ୍ଗକୁ ଲକଡାଉନ ଯୋଗୁଁ ଜୀବିକା ହରାଇ ନିଜ ବ୍ଲକକୁ ଫେରି ଆସି କ୍ବାରେଣ୍ଟାଇନ୍‌ରୁ ନିଜ ଘରକୁ ଯିବା ପରେ ପରିବାର ଲୋକ ଉଭୟଙ୍କୁ ଘଉଡାଇ ଦେବାପରେ ପନ୍ଦର ଦିନ କାଳ ଚନ୍ଦାହାଣ୍ଡି ସ୍ଥିତ ମାଆ ଘରରେ ଆଶ୍ରୟ ନେଇଥିବା ଦମ୍ପତିଙ୍କୁ ଆଜି ପରିବାର ବର୍ଗ ସସମ୍ମାନେ ଘରକୁ ନେଇ ଯାଇଛନ୍ତି ।

ବିବରଣୀରୁ ପ୍ରକାଶ ତେଲଙ୍ଗାନା ରାଜ୍ୟର ଖମାମ ଜିଲ୍ଲାର କୁଡୁଗୁଡୁମ ସ୍ଥିତ ଏକ ସିମେଣ୍ଟ କାରଖାନାରେ ପ୍ରବାସୀ ଶ୍ରମିକ ଭାବେ ଦୀର୍ଘ ଦେଢ ବର୍ଷ ହେବ କାର୍ଯ୍ୟରେ ନିୟୋଜିତ ଥିଲେ ଲୁଦ୍ରିକା ଓ ଝଜକୁମାର । ଉଭୟେ ଗୋଟିଏ ଗ୍ରାମର ହୋଇ ଥିବାରୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ଅବସ୍ଥାନ ହେତୁ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ଭିନ୍ନ ଜାତିର ହୋଇଥିଲେ ହେ ପ୍ରଥମେ ପ୍ରେମ ଓ ପରେ ପରବର୍ତ୍ତୀ ସମୟରେ ସେଠାରେ ପ୍ରେମ ବିବାହ କରି ଉଭୟ ଏକାଠି ପରିବାର ବର୍ଗଙ୍କ ଗୋପନୀୟତାରେ ସ୍ବାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ । ଇତିମଧ୍ୟରେ ପ୍ରେମିକା ଲୁଦ୍ରିକା ଗର୍ଭବତୀ ହୋଇ ଯାଇଥିବା ବେଳେ ତାଙ୍କର ପ୍ରସବ ପରେ ଉଭୟେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ କାଳେ ଉଭୟଙ୍କ ପରିବାରବର୍ଗ ସେମାନଙ୍କ ପ୍ରେମକୁ ସ୍ବୀକୃତି ଦେବେ ବୋଲି ଉଭୟଙ୍କ ମଧ୍ୟରେ ଧାରଣା ଥିଲା । ହେଲେ କରୋନା ଜନିତ ଲକଡାଉନ ଲୁଦ୍ରିକାଙ୍କ ପ୍ରସବ ପୂର୍ବରୁ ତାଙ୍କ ଜୀବିକା ଛଡାଇ ନେଲା । ଲକଡାଉନ ଯୋଗୁଁ କାରଖାନା ବନ୍ଦ ହୋଇ ଯିବାରୁ ଉଭୟ ନିଜ ଭିଟାମାଟିକୁ ଫେରିବା ଛଡା ଅନ୍ୟ କୌଣସି ଉପାୟ ନଥିଲା।

ତେବେ ସେମାନେ ନବରଙ୍ଗପୁର ଠାରେ ପହଞ୍ଚିବାରୁ ଜିଲ୍ଲା ପ୍ରଶାସନ ଚନ୍ଦାହାଣ୍ଡି ବ୍ଲକର ଧୋଡିପାଣି କ୍ବାରେଣ୍ଟିନ୍ ସେଣ୍ଟରକୁ ପଠାଇ ଦେଇଥିଲେ। କ୍ବାରେଣ୍ଟିନ୍ ଅବଧି ସାରି ପ୍ରମାଣପତ୍ର ସହ ନିଜ ଗାଁ ମୋତିଗାଁକୁ ଯାଇଥିବା ବେଳେ ଘୃଣ୍ୟ ଜାତିଆଣ ମନୋଭାବକୁ ଆଳ କରି ସ୍ୱାମୀଙ୍କ ପରିବାର ସେମାନଙ୍କୁ ଘରେ ପଶିବାକୁ ବାରଣ କରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ କୌଣସି ଉପାୟ ନପାଇ ବେସାହାରା ହୋଇ ଏକ ଗଛ ମୁଳେ ଆଶ୍ରୟ ନେଇ ରାତି ବିତେଇବା ପରେ କୌଣସି ପ୍ରକାରେ ଚନ୍ଦାହାଣ୍ଡି ସ୍ଥିତ ମା ଘର ଅନୁଷ୍ଠାନର ସ୍ବେଚ୍ଛାସେବୀ ପୁଷ୍ପାଞ୍ଜଳି ପିଣିଗ୍ରାହୀ ଖବର ପାଇ ଉଭୟଙ୍କୁ ଉଦ୍ଧାର ପୂର୍ବକ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଡାକ୍ତର ସଂଗ୍ରାମ କେଶରୀ ସାହୁ ଲୁଦ୍ରିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସାତ ମାସର ଗର୍ଭବତୀ ହୋଇଥିବାରୁ ଉପଯୁକ୍ତ ରକ୍ଷଣା ବେକ୍ଷଣର ଆବଶ୍ୟକତା ରହିଥିବା ପ୍ରକାଶ କରି ଚନ୍ଦାହାଣ୍ଡି ସ୍ଥିତ ମା ଗୃହ ଆଶ୍ରୟକୁ ପଠାଇ ଦେଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କୁ ଗ୍ରହଣ କରିବା ପାଇଁ ସିଙ୍ଗଲସାଇଙ୍କ ପରିବାର ତତ୍ପରତା ପ୍ରକାଶ କରିଥିଲେ। ହେଲେ ଲୁଦ୍ରିକାର ଆଶୁ ଚିକିତ୍ସା ପାଇଁ କିଛି ଦିନ ମାଆ ଗୃହରେ ରହଣି ପରେ ଆଜି ସିଙ୍ଗଲସାଇଙ୍କ ସପରିବାର ଉଭୟଙ୍କୁ ନିଜ ଘର ମୋତିଗାକୁ ନେଇ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର