ଦେବଗଡ଼: ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଚନ୍ଦନଖୁଣ୍ଟି, ଶୋଷ ମେଣ୍ଟାଉଛି ଚୁଆ ପାଣି

ଦେବଗଡ଼: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଦେବଗଡ଼ ଜିଲ୍ଲାର ଏମିତି ଗାଁ ରହିଛି ଯେଉଁଠିକୁ ଯିବାକୁ ରାସ୍ତା ନାହିଁ। ସଂକୀର୍ଣ୍ଣ ପାଦଚଲା ରାସ୍ତା, ପାହାଡ଼ ଓ ବିପଜ୍ଜନକ ନାଳ ଅତିକ୍ରମ କଲେ ଗାଁରେ ପହଞ୍ଚିବାକୁ ହେଉଛି। ଗ୍ରାମରେ ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ ଯୋଜନା ଅପହଞ୍ଚ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ଏସବୁ ଗାଁରେ ବିକାଶ ଆଲୁଅ ଲୁଚକାଳି ଖେଳୁଛି। ଗୋଟିଏପଟେ ଜଙ୍ଗଲ ଓ ଅନ୍ୟପଟେ ହିଂସ୍ରଜନ୍ତୁ ଓ ହାତୀ ଭୟ ମଧ୍ୟରେ ଜୀବନ କଟୁଛି। ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ତିଲେଇବଣି ବ୍ଲକ ଅନ୍ତର୍ଗତ ଚନ୍ଦନଖୁଣ୍ଟି ହେଉଛି ଏମିତି ଏକ ଗାଁ।

ଟାଇଁସର ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗ୍ରାମରେ ପ୍ରାୟ ୪୫ ପରିବାର ବାସ କରୁଛନ୍ତି। ଗ୍ରାମକୁ ଯିବାକୁ ହେଲେ ୩ଟି ପାହାଡ଼ ଡେଇଁବାକୁ ପଡ଼େ। ଏହା ସହିତ ବାଟରେ ପଡେ ୨ଟି ପାହାଡ଼ୀ ନାଳ। ଶିକ୍ଷା ପାଇଁ ଗଁରେ ଉପଯୁକ୍ତ ବ୍ୟବସ୍ଥା ନାହିଁ। ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ। ଗାଁରେ ଥିବା ନାଳ ଓ ଚୁଆ ହିଁ ଗ୍ରାମବାସୀଙ୍କ ଶେଷ ମେଣ୍ଟାଉଛି। ବିଶେଷ କରି ଗ୍ରୀଷ୍ମ ଦିନ ନାଳ ଓ ଚୁଅ‌ା ଶୁଖି ଯାଉଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହୁଅନ୍ତି। ସ୍ୱାସ୍ଥ୍ୟ କଥା ପଚାରେ କିଏ ? ଯଦି ଗ୍ରାମରେ କାହାର ଦେହ ଖରାପ ହୁଏ ତେବେ ୩ଟି ପାହାଡ଼ ଡେଇଁ ଯିବାକୁ ପଡ଼େ। ପାହାଡ଼ର ସଂକୀର୍ଣ୍ଣ ଆବଡ଼ାଖାବଡ଼ା ପଥର ରାସ୍ତା ଦେଇ ଦେବଗଡ଼ ମୁଖ୍ୟ ଚିକତ୍ସାଳୟକୁ ରୋଗୀକୁ ଆଣିବାକୁ ପଡ଼େ। ତେବେ ଅନେକ ସମୟରେ ରୋଗୀଙ୍କୁ ମେଡିକାଲ୍‌ରେ ପହଞ୍ଚାଇବାରେ ବଳମ୍ବ ହୁଏ। ଫଳରେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

ଏହା ସହିତ ଜଙ୍ଗଲ, ହିଂସ୍ରଜନ୍ତୁ ଓ ହାତୀଙ୍କ ଭୟ ବି ରହିଛି। ମୋବାଇଲ ବ୍ୟବସ୍ଥା ନଥିବାରୁ ଗ୍ରାମରେ କ’ଣ ଅଘଟଣ ଘଟିଲେ ତାହା ଲୋକଲୋଚନକୁ ଆସି ପାରେ ନାହିଁ। ତେବେ ଏଭଳି ସମସ୍ୟା ବହୁଳ ଗ୍ରାମ ସରକାରୀ ଉଦାସୀନତାର ଏକ ନଗ୍ନ ନମୁନା। ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିମି ଦୂରରେ ଥିବା ଗ୍ରାମର ଅବସ୍ଥା ଯଦି ଏପରି ତେବେ ଅନ୍ୟ ଗ୍ରାମର କିପରି ବିକାଶ ହେଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ଜନ ପ୍ରତିନିଧିମାନେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଉକ୍ତ ଗ୍ରାମର ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର