ମଉଳିଲା ଚନ୍ଦନ ବନ ପ୍ରକଳ୍ପ : ଉଠିଲାନି ୪୦ହଜାର ଚାରା, ଶ୍ରୀଜିଉଙ୍କ ସେବା ହେବ କେମିତି?

ଜୟପୁର : ଶ୍ରୀଜିଉଙ୍କ ସେବା ପାଇଁ ଚଳିତ ବର୍ଷ ଯିବ ନାହିଁ କୋରାପୁଟିଆ ଚନ୍ଦନ କାଠ। ଯେତିକି ପରିମାଣର ଆବଶ୍ୟକ ସେତିକି ଗଛ କୋରାପୁଟ ଜିଲ୍ଲାରେ ଆଉ ନାହିଁ। ଯାହା ବି କାଁଭାଁ ଅଛି ତାହା ଅତି ଛୋଟ ଛୋଟ। ବଢ଼ିବାକୁ ଆହୁରି ୪ରୁ ୫ବର୍ଷ ଲାଗିଯିବ। ଯାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ ପଡ଼ିଛି। ଅପରପକ୍ଷରେ ନୂତନ ଚନ୍ଦନ ବନ ପାଇଁ ବନ ବିଭାଗ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ବିଶେଷ ଫଳପ୍ରଦ ହୋଇନଥିବା ଜଣାପଡ଼ିଛି।

ଜୟପୁର ରାଜାଙ୍କ ସମୟରୁ ହିଁ ପୁରୀକୁ ଟନ୍ ଟନ୍ ଚନ୍ଦନ କାଠ ଶ୍ରୀ‌ଜିଉଙ୍କ ସେବା ପାଇଁ ଯାଉଥିଲା। କୋରାପୁଟ ଜିଲ୍ଲାର ଜୟପୁର, ବାଲଦା, ସେମିଳିଗୁଡା, କୋରାପୁଟ, କୁନ୍ଦୁରା, ବୋରିଗୁମ୍ମା, ଲକ୍ଷ୍ମୀପୁର, ବୈପାରିଗୁଡା ଏବଂ କୋଟପାଡ଼ ଅଞ୍ଚଳରୁ ଏହି ଚନ୍ଦନ କାଠ ସଂଗ୍ରହ କରାଯାଉଥିଲା। କିନ୍ତୁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ମୂଲ୍ୟବାନ କାଠ ଉପରେ ପଡ଼ିବା ପରେ ଦିନକୁ ଦିନ ପଦା ହେବାରେ ଲାଗିଛି ଶହ ଶହ ପୁରୁଣା ଚନ୍ଦନ ବନ। ତେଣୁ ପ୍ରତିବର୍ଷ ପୁରୀ ଯାଉଥିବା ଚନ୍ଦନ କାଠର ପରିମାଣ ବି କମିବାରେ ଲାଗିଛି। ଏଥିପାଇଁ ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ନୂତନ ଚନ୍ଦନ ବନ ଗଠନ ପାଇଁ ଯୋଜନା ହୋଇଥିଲା। ଜୟପୁର, ବାଲାଦା, ସେମିଳିଗୁଡା ଏବଂ କୋରାପୁଟ ବନଖଣ୍ଡରେ ପ୍ରାୟ ୧୫ହଜାର ହେକ୍ଟର ଜମିରେ ଚନ୍ଦନ ଚାରା ଲଗାଇବାକୁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି। ପ୍ରତି ଶହେ ହେକ୍ଟର ଜମିରେ ୨୫ଶହ ଚାରା ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଜୟପୁର ସ୍ଥିତ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରକୁ ୨୦ହଜାର ଚାରା ଏବଂ ବୋରିଗୁମ୍ମାରେ ୨୦ହଜାର ଚାରା ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଯେଉଁ ଚାରାକୁ ଗଛରେ ପରିଣତ ପାଇଁ ପରୀକ୍ଷା କରାଯାଇଛି ସେଥିରୁ ଅଧିକାଂଶ କଅଁଳିବାର ନାଁ ନେଉନାହିଁ। ଅଳ୍ପ କିଛି ଚାରା ବଢ଼ୁଥିବା ବେଳେ ତାହା ମଧ୍ୟ ଆଦୌ ଉତ୍ସାହ ଜନକ ନୁହେଁ। ଭଲ ମଞ୍ଜିର ଅଭାବ ଏବଂ ଉନ୍ନତ କଲମୀକରଣରେ ତ୍ରୁଟି ଯୋଗୁଁ ସ୍ଥିତି ଏମିତି ହୋଇଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ କରାଯିବା ସହ ଚାରା ଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ବ ଦିଆଯାଇଥିଲା। ତଥାପି ଏହି ପରୀକ୍ଷାରେ ବିଶେଷ ସୁଫଳ ମିଳି ନଥିବାରୁ ଚଳିତ ବର୍ଷ ଆବଶ୍ୟକ ପରିମାଣର ଚାରା ରୋପଣ ହୋଇପାରି ନାହିଁ ବୋଲି କୁହାଯାଉଛି। ଅନ୍ୟପଟେ ୬ମାସ ମଧ୍ୟରେ ଏହି ଚାରା ଗଛରେ ପରିଣତ ହେବା କଥା। କିନ୍ତୁ କେଉଁ କାରଣରୁ ଏଭଳି ହେଲା ନାହିଁ ତାହାକୁ ନେଇ ବନ ବିଭାଗରେ ତନାଘନା ଚାଲିଛି। ଆସନ୍ତା ଦୁଇ ମାସ ମଧ୍ୟରେ ଯଦି ଏହି ଚାରା ଗଛରେ ରୂପାନ୍ତରିତ ନହୁଏ ତେବେ ଆମର ବହୁତ କ୍ଷତି ହେବ ବୋଲି କର୍ତୃପକ୍ଷ କହିଛନ୍ତି।

୨୦୧୫ ନବକଳେବର ପାଇଁ କୋରାପୁଟ ଜିଲ୍ଲାରୁ ୫କ୍ବିଣ୍ଟାଲ ଚନ୍ଦନ କାଠ ପୁରୀ ଯାଇଥିଲା। ତେବେ ଏହାପରେ ଏହି ପରିମାଣ କମିଥିବା ବେଳେ ଗତବର୍ଷ ମାତ୍ର ୪୦ରୁ ୫୦କିଲୋଗ୍ରାମ ଚନ୍ଦନ କାଠ ଯାଇଥିବା ସୂଚନା ମିଳିଛି। ଚଳିତ ବର୍ଷ ଆଜି ସୁଦ୍ଧା ଆଦୌ ଚନ୍ଦନ କାଠ ଯାଇପାରି ନାହିଁ। ଆଗାମୀ ଦିନରେ ବି ଆଉ ଯିବର ନାହିଁ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଆଗକୁ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଏବଂ ଏହାପରେ ଘୋଷଯାତ୍ରା ଅଛି। ମହାପ୍ରଭୁଙ୍କ ସେବା କିଭଳି ହେବ ତାହା ଚିନ୍ତାର କାରଣ ପାଲଟିଛି। ଯଦିଓ ଚଳିତ ବର୍ଷ ଅଳ୍ପ କିଛି ଚାରା ରୋପଣ କରାଯିବ। ତାହାକୁ ବଢ଼ିବାରେ ପ୍ରାୟ ୩୦ବର୍ଷ ଲାଗିଯିବ। ଏଭଳି ସ୍ଥିତିର ମୁକାବିଲା କରିବା ବନ ବିଭାଗ ପାଇଁ ବର୍ତମାନ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଏନେଇ ଜୟପୁର ଡିଏଫଓ ଅଶ୍ବିନୀ କରଙ୍କୁ ଯୋଗାଯୋଗ କରିବାରୁ ସନ୍ତୋଷ ପରିଡା ନାମକ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଚାରା ଗୁଡ଼ିକୁ ବଢ଼ାଇବା ପାଇଁ ଦାୟିତ୍ବ ଦିଆଯାଇଥିଲା। କାହିଁକି ଚାରା ଗୁଡ଼ିକ ବଢ଼ିଲା ନାହିଁ ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର