ଆଜି ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ଜାରି ହେଲା ୨୧ ଦିନିଆ ୧୪୪ ଧାରା, ସିଂହଦ୍ବାରଠାରୁ ନରେନ୍ଦ୍ର ପୁଷ୍କରିଣୀ ନିଷିଦ୍ଧାଞ୍ଚଳ

ଦିନ ୩ଟାରେ ଚନ୍ଦନ ପାଇଁ ବାହାରିବେ ମହାପ୍ରଭୁ

ପୁରୀ : ଶନିବାରଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେଉଛି।

ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। କିନ୍ତୁ ଚଳିତ ବର୍ଷ କୋଭିଡ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ କଟକଣା ଭିତରେ ଚନ୍ଦନଯାତ୍ରା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର, ଶ୍ରୀମନ୍ଦିର କାର୍ଯ୍ୟାଳୟ, ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୨୧ ଦିନିଆ ୧୪୪ ଧାରା ଜାରି କରାଯାଇଛି। ମେ ୧୫ ଅପରାହ୍ଣ ୩ଟାରୁ ଜୁନ୍‌ ୪ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେବକ ସଂଖ୍ୟା ବି ସୀମିତ କରାଯାଇଛି। ପାସ ପାଇଥିବା ସେବକଙ୍କୁ ନୀତିକାନ୍ତି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି କଟକଣାକୁ ମାନିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।

ଗତବର୍ଷ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିଲେ ବି କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଶ୍ରୀମନ୍ଦିର ଭିତରେ କେବଳ ପ୍ରତୀକାତ୍ମକ ଭାବେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତବର୍ଷ ଚନ୍ଦନଯାତ୍ରା ନୀତି ତଥା ପରମ୍ପରା ରକ୍ଷା ଉପରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଗୁରୁତ୍ବ ଦେଇଛନ୍ତି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ସହ ଶ୍ରୀମନ୍ଦିର ଫାଣ୍ଡି, ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ୧୪୪ ଧାରା ଲାଗୁ କରାଯିବ। ଚନ୍ଦନ ଠାକୁର ଯିବା ବାଟ ଅର୍ଥାତ୍‌ ଶ୍ରୀମନ୍ଦିର ଫାଣ୍ଡିଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। ୨୧ ଦିନିଆ ଏହି ୧୪୪ ଧାରା ଲାଗୁ ସମୟରେ ଜନସାଧାରଣଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନୀତି ସମ୍ପୃକ୍ତ ସେବକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର