ପୁରୀ : ମହାପ୍ରଭୁଙ୍କୁ ନେଇ ନୌବିହାର କରିବାକୁ ପ୍ରତୀକ୍ଷିତ ନେତ୍ରରେ ଚାହିଁ ରହିଥିଲେ ନନ୍ଦା ଓ ଭଦ୍ରା (ଡଙ୍ଗା)। ବର୍ଷକ ପରେ ଲୀଳାମୟ ମହାପ୍ରଭୁଙ୍କ ସ୍ପର୍ଶ ପାଇବାକୁ ଉଚ୍ଛୁଳି ଉଠୁଥିଲା ନରେନ୍ଦ୍ର ସରୋବର। ଏଣେ ବିଜେ କାହାଳୀ ବାଜିବା ପରେ ଘଣ୍ଟ, ଛତା, କାହାଳୀ ପଟୁଆରରେ ମହାପ୍ରଭୁ ସ୍ବତନ୍ତ୍ର ମଣି ବିମାନରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲ ଦିବ୍ୟଲୀଳା। ଏହି ଲୀଳା ସଂଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲେ ହଜାର ହଜାର ଭକ୍ତଗଣ।
ମଣି ବିମାନେ ଗୋବିନ୍ଦ.., ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ... ପଂକ୍ତି ସଦୃଶ ଦୃଶ୍ୟ ଦେଖିବାର ଅବକାଶ ଭେଟି ଦେଇଥିଲା ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ୨୧ ଦିନିଆ ଯାତ୍ରାର ଆଜିଥିଲ ପ୍ରଥମ ଦିନ। ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରିଥିଲେ। ମହାପ୍ରଭୁଙ୍କ ସହ ରାମ-କୃଷ୍ଣ ସୁସଜ୍ଜିତ ପାଲିଙ୍କିରେ ଭଜନ ଓ ସଂକୀର୍ତ୍ତନର ଅପୂର୍ବ ସମାବେଶରେ ପଞ୍ଚ ମହାଦେବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠଙ୍କ ବିଜେ ପ୍ରତିମା ସ୍ବବିମାନରେ ଏହି ଯାତ୍ରାରେ ସାମିଲ ହୋଇ ନରେନ୍ଦ୍ର ପୁଷ୍କରିଣୀ ଦିଗରେ ଯାତ୍ରା କରିଥିଲେ। ଚାପଖେଳ ପରେ ମହାପ୍ରଭୁ ନରେନ୍ଦ୍ର ଚକଡ଼ାରେ ଚନ୍ଦନ କୁଣ୍ଡର ଶୀତଳ ଜଳରେ ସ୍ନାନ କରିଥିଲେ।
ରବିବାର ଭୋର ୩ଟା ୫୦ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ପରେ ଚନ୍ଦନଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ୪୦ରେ ବିଜେ ପ୍ରତିମା ରାମ-କୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଓ ବିମାନକୁ ବିଜେ କରିଥିଲେ। ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିରରୁ ବାହାରି ୫ଟା ୨୦ରେ ରଥଖଳାରେ ପହଞ୍ଚିଥିଲେ। ପରେ ନରେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟାରେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିଥିଲେ। ସେଠାରେ ଦୁଇଟି ନାବ ଯୋଡ଼ାଯାଇ ଶୋଭନୀୟ ଭାସମାନ ବିମାନ ନିର୍ମିତ ହୋଇଥିଲା। ଚନ୍ଦନ ଚକଡ଼ା ପୁଷ୍ପ ବିମଣ୍ଡିତ ହୋଇଥିଲା। ଚନ୍ଦନ ମଣ୍ଡପ ମଧ୍ୟ ଶୋଭାବର୍ଦ୍ଧନ କରୁଥିଲା। ପ୍ରଥମେ ରାମ-କୃଷ୍ଣ ଭଦ୍ରାରେ ବିଜେ କରିଥିଲେ। ପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ନନ୍ଦାରେ ବିଜେ କରିଥିଲେ। ଶେଷରେ ପଞ୍ଚ ମହାଦେବ ଭଦ୍ରାରେ ବିଜେ କରିଥିଲେ। ବିଜେ କାର୍ଯ୍ୟ ଶେଷ ପରେ ନୌବିହାର ତଥା ଦିନ ଚାପ ଆରମ୍ଭ ହୋଇଥିଲା। ପ୍ରଥମେ ବୈଜୟନ୍ତୀ, ପରେ ଭଦ୍ରା ଓ ଶେଷରେ ନନ୍ଦା ଚନ୍ଦନ ଠାକୁରଙ୍କୁ ଧରି ନୌବିହାର କରିଥିଲେ।
ଅନ୍ୟପକ୍ଷରେ, ୨୧ତମ ଦିନ ହଳଦୀ ପାଣି ଅନୁଷ୍ଠିତ ହେବ। ସେଦିନ କେବଳ ବିଜେ ପ୍ରତିମା ନୌକାକୁ ଯାଇ ପାଦ ପ୍ରକ୍ଷାଳନ କରି ଫେରିବେ। ବାହାର ଚାପ ପରେ ଶ୍ରୀମନ୍ଦିର ଭିତରେ ୨୧ ଦିନର ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ।