ପୁରୀ : କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ମେ ୧୯ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଥିବାବେଳେ ଚଳିତବର୍ଷ ବିନା ଭକ୍ତରେ ଚନ୍ଦନଯାତ୍ରା ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ସେହି ଅନୁସାରେ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। କେତେ ସେବାୟତ ରହିବେ, କେଉଁଠି କେଉଁମାନେ ନୀତିକାନ୍ତି କରିବେ, ତାର ତାଲିକା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସେବାୟତଙ୍କ ସହ ବୈଠକ ଡାକି ଜିଲ୍ଲାପାଳ କେତେ ଜଣ ସେବାୟତରେ ନୀତିକାନ୍ତି ସମ୍ପନ୍ନ ହୋଇପାରିବ ସେ ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଥିବା ଜଣାପଡ଼ିଛି।
ଗତବର୍ଷ ସବୁ ପ୍ରସ୍ତୁତି ସରିଥିଲେ ବି ଜିଲ୍ଲା ପ୍ରଶାସନ ଶେଷ ମୁହୂର୍ତ୍ତରେ ଏହି ଯାତ୍ରାକୁ ବନ୍ଦ କରି ଦେଇଥିଲା। ଚଳିତବର୍ଷ ପ୍ରସ୍ତୁତିରେ ବିଳମ୍ବ ହୋଇଥିଲେ ବି ପରମ୍ପରା ରକ୍ଷା ଉପରେ ଜୋର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସଂକ୍ରମଣକୁ ରୋକିବା ପାଇଁ ଆମେ ଯଥାସମ୍ଭବ କଟକଣା ଲଗାଇବା, କିନ୍ତୁ ପରମ୍ପରା କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ। ସେବାୟତମାନେ ବି ସମାନ କଥା ଦୋହରାଇଛନ୍ତି। କୌଣସି ପରିସ୍ଥିତିରେ ପରମ୍ପରା ଭଙ୍ଗ ନ ହେଉ ବୋଲି ମତ ଦେଇଛନ୍ତି।
କଟକଣା ଲାଗୁ ପଛେ, ବାହାର ଚନ୍ଦନଯାତ୍ରା ହେଉ ଏବଂ ନରେନ୍ଦ୍ରରେ ମହାପ୍ରଭୁଙ୍କ ଚାପ ଖେଳ ହେଉ ବୋଲି ଆଜି ଭର୍ଚୁଆଲ୍ ବୈଠକରେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/chandan-jatra-puri.png)