ପୁରୀ: ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ରାଜପ୍ରସାଦ ବିଜେ ଆଜି ସମ୍ପର୍ଣ୍ଣ ହୋଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ ହୋଇଛି। ଦଇତାପତି, ପତି ମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଏକ ଭବ୍ୟ ଶୋଭାଯାତ୍ରାରେ ରାଜପ୍ରସାଦ ଶ୍ରୀନଅରକୁ ନେଇ ସେଠାରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ କରିଛନ୍ତି। ମହାପ୍ରଭୁ ସୁସ୍ଥ ଅନୁଭବ କରୁଥିବା ବେଳେ ଅଣସରକାଳୀନ ଗୁପ୍ତନୀତି ସୁରୁଖୁରରେ ସଂପନ୍ନ ହୋଇଥିବା ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିରରୁ ରାଜନଅରକୁ ବିଜେ ସମୟରେ ସମଗ୍ର ବଡ଼ଦାଣ୍ଡ ଚନ୍ଦନର ସୁବାସିତ ବାସ୍ନାରେ ମହକି ଉଠିଛି। ମହାପ୍ରଭୁଙ୍କ ଏଭଳି ନିଆରା ପରମ୍ପରାକୁ ଦେଖିବା ପାଇଁ ଆଜି ବଡ଼ଦାଣ୍ଡରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା। ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସ ମହାପାତ୍ରଙ୍କ ସୂଚନା ଅନୁସାରେ, ଆଜି ପ୍ରଥମ ଭୋଗ ମଣ୍ଡପ ପରେ ଅପରାହ୍ଣ ପ୍ରାୟ ୧୧ଟା ୪୫ରେ ରାଜନଅରକୁ ରାଜପ୍ରସାଦ ବିଜେ କରାଯାଇଥିଲା। ଦଇତାପତି ସେବକମାନେ ପାଟବସ୍ତ୍ର ପରିଧାନ କରି ରାଜପ୍ରସାଦକୁ ଏକ ରୁପାଥାଳିରେ ରାଜନଅରକୁ ନେଇଥିଲେ। କରାଳ, ଚନ୍ଦନ ଆଦି ରାଜନଅରକୁ ବିଜେ କରାଯାଇଥିଲା। ବୈଜୟନ୍ତୀ, ବିଜେ କାହାଳୀ ସହ ବହୁ ଦଇତାପତି ସେବକ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀନଅରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜପ୍ରସାଦକୁ ମୁଣ୍ଡରେ ମାରି ଆଶୀର୍ବାଦ ନେଇଥିଲେ। ଦଇତାପତିମାନେ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରିବା ସହ ଗୋପନ ସେବା ସମ୍ବନ୍ଧରେ ଗଜପତିଙ୍କୁ ଅବଗତ କରିଥିଲେ। ଏହି ଖବର ପାଇବା ପରେ ଅଣସର ସେବାରେ ନିୟୋଜିତ ଦଇତାପତି ଓ ପତିମହାପାତ୍ର ସେବାୟତଙ୍କୁ ଶାଢ଼ୀ ବନ୍ଧାଇ ଗଜପତି ସମ୍ମାନିତ କରିଥିଲେ। ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ। ଶ୍ରୀନଅରରେ ପାଟ୍ଟଶାଣୀ ଏହି ଦଇତାପତି ସେବକଙ୍କୁ ଶାଢ଼ୀ ବାନ୍ଧିଥିଲେ। ପରେ ରଥଯାତ୍ରା ଓ ଶ୍ରୀମନ୍ଦିର ସଂପର୍କିତ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି। ଆଜିର ରାଜପ୍ରସାଦ ବିଜେ ଶୋଭାଯାତ୍ରାରେ ହଳଧର ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ର, କାର୍ତିକ ଦାସ ମହାପାତ୍ର, ସଂଜୀବ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର, ବିଦ୍ୟାପତି ନବକିଶୋର ପତି ମହାପାତ୍ର, ବିନାୟକ ଦାସ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଏଥିପାଇଁ ମହାପ୍ରଭୁ ରତ୍ନବେଦି ଛାଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସ୍ନାନଯାତ୍ରାଠାରୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦଇତପତିମାନଙ୍କ ଦ୍ଵାରା ଗୁପ୍ତ ସେବା ଚାଲିଛି। ନୂତନ ବିଗ୍ରହଙ୍କୁ ଦଶମୂଳ ସମର୍ପଣ, ପ୍ରଥମ ତୁଳସୀ ଲାଗି ହେବା ପରେ ଶ୍ରୀନଅରକୁ ପରମ୍ପରା ଆଧାରରେ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜପ୍ରସାଦ ବିଜେ କରିଛି। ପରମ୍ପରା ମୁତାବକ ଶ୍ରୀଜିଉଙ୍କ ଶ୍ରୀଅଙ୍ଗପ୍ରସାଦ ନେଇ ଦଇତାପତି, ବିଦ୍ୟାପତି ସେବକମାନେ ଶ୍ରୀନଅରକୁ ଯାଉଥିବାରୁ ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ରାଜପ୍ରସାଦ ବିଜେ ପୂର୍ବରୁ ଆଜି ଭୋର ସମୟରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇ ଚନ୍ଦନ ସର୍ବାଙ୍ଗ ହୋଇଥିଲା।