ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଦ୍ୱିତୀୟ ଦିନରେ ପହଞ୍ଚିଛି। ଯଥାବିଧି ନୀତି ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତgମା ମଦନମୋହନ ମଣିବିମାନରେ ବିଜେ ହୋଇ ନରେନ୍ଦ୍ରରେ ଚାପ ଖେଳିଛନ୍ତି। ମହାପ୍ରଭୁଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନିଜ ନିଜ ବିମାନ ଓ ପାଲିଙ୍କିରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ଚାପ ଖେଳିଛନ୍ତି। ତେବେ ନୀତିରେ ଅହେତୁକ ବିଳମ୍ବ କାରଣରୁ ଚାପ ଖେଳରେ ବିଭ୍ରାଟ ଦେଖାଦେଇଛି। ଦିନ ଚାପ ରାତିରେ ଖେଳିଛନ୍ତି ମହାପ୍ରଭୁ। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁ ଦିନ ଚାପ ଖେଳିଥିଲେ। ଗତକାଲି ଭଳି ଆଜି ବି ଦିନ ଚାପ ରାତିରେ ଖେଳିଛନ୍ତି ମହାପ୍ରଭୁ। ତଥାପି ଏ ଦିଗରେ ନା ଶ୍ରୀମନ୍ଦିର ପ୍ରଶାସନର ନିଘା ଅଛି, ନା ସେବା ସମ୍ପୃକ୍ତ ସେବକଙ୍କର। ଯେଉଁଥିପାଇଁ ମହାପ୍ରଭୁଙ୍କ ବାହୁଡ଼ା ନୀତି ବିଳମ୍ବ ହେଉଛି ଓ ଶ୍ରୀମନ୍ଦିର ପହୁଡ଼ ନୀତି ବି ବିଳମ୍ବିତ ହେଉଛି। ଫଳରେ ଆଜି ଦ୍ବାରଫିଟା ନୀତି ବି ବିଳମ୍ବ ହୋଇଛି। ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଅର୍ଥାତ୍ ସକାଳ ୬ଟା ୫ରେ ଦ୍ବାରଫିଟା ନୀତି ହୋଇଛି।
ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିନ ନୀତିକାନ୍ତି ଅନୁଯାୟୀ, ଅକ୍ଷୟ ତୃତୀୟାରେ ରାତି ୩ଟାରେ ଦ୍ବାରଫିଟା ହେବ। ସକାଳ ୭ଟାରେ ଗୋପାଳବଲ୍ଲଭ, ଅପରାହ୍ଣ ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ, ରାତି ୧୦ଟାରେ ଚନ୍ଦନ ଠାକୁରଙ୍କ ବାହୁଡ଼ା ବିଜେ, ରାତି ସାଢ଼େ ୧୨ଟାରେ ରାତିପହୁଡ଼ ହେବା କଥା। କିନ୍ତୁ ଆରମ୍ଭରୁ ଝୁଣ୍ଟିଛି ଶ୍ରୀମନ୍ଦିର ପ୍ରଶାସନ। ଚାପ ବିଳମ୍ବ ହେବା ସହ ରାତି ୧ଟା ୨୫ରେ ଚନ୍ଦନ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ସାଢ଼େ ୩ଟାରେ ରାତିପହୁଡ଼ ହୋଇଥିଲା।
ସେହିଭଳି ସାଧାରଣ ଦିନରେ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ବାରଫିଟା ପରେ ସାଢ଼େ ୩ଟାରେ ଚନ୍ଦନକୁ ଦିଅଁ ବିଜେ, ୩ଟା ୪୫ରେ ବିମାନ ଉଠିବା ନୀତି ସଂପନ୍ନ ପରେ ମହାପ୍ରଭୁ ବିମାନରେ ନରେନ୍ଦ୍ର ଯାତ୍ରା କରିବେ। ରାତି ୧୧ଟାରେ ଚନ୍ଦନ ଠାକୁରଙ୍କ ବାହୁଡ଼ା ନୀତି ଓ ରାତି ୧ଟାରେ ରାତ୍ର ପହୁଡ଼ ନୀତି ସଂପନ୍ନ ହେବ। କିନ୍ତୁ ଆଜି ସକାଳ ୬ଟା ୫ରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ୪ଟା ୪୫ରେ ଆଜ୍ଞାମାଳ ପାଇଁ ଚନ୍ଦନ ଠାକୁର ବିମାନ ବିଜେ କରିଥିଲେ ଓ ସାଢ଼େ ୫ଟାରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ ଅଭିମୁଖେ ଯାତ୍ରା କରିଥିଲେ। ପରେ ରାତି ପ୍ରାୟ ୭ଟାରେ ଦିଅଁ ଚାପ ଖେଳିଥିଲେ। ଜଣେ ବରିଷ୍ଠ ସେବକ କହିଛନ୍ତି, ଆଗରୁ ଦିନ ଚାପ ୪ଟାରୁ ୫ଟା ଭିତରେ ସରି ଯାଉଥିଲା। ପରେ ରାତିରେ ରାତି ଚାପ ଖେଳୁଥିଲେ ମହାପ୍ରଭୁ। ଏବେ କିନ୍ତୁ ସବୁ ପରମ୍ପରାକୁ ଭାଙ୍ଗି ଦିଆଯାଉଛି। ଉଭୟ ଦିନ ଓ ରାତି ଚାପ ମହାପ୍ରଭୁ ରାତିରେ ଖେଳୁଛନ୍ତି।