ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଚନ୍ଦନଯାତ୍ରା। ମହାପ୍ରଭୁଙ୍କ ଚଳନ୍ତି ପ୍ରତୟିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର ଆଜି ନନ୍ଦା-ଭଦ୍ରା ଡଙ୍ଗାରେ ବସି ନରେନ୍ଦ୍ର ଜଳରେ ଚାପ ଖେଳିଛନ୍ତି। ତାତିରୁ ମୁକ୍ତି ପାଇଁ ୭କେଜି ଚନ୍ଦନର ଶୀତଳ ଜଳରେ ସ୍ନାନ କରିଛନ୍ତି। ଏଥିପାଇଁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର । ଧୂପ, ଚନ୍ଦନର ମହକ ସହ ଜୟ ଜଗନ୍ନାଥ ଓ ହରିବୋଲ ଡାକରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ।
ଆଜି ଭୋର ୪ଟା ୧୦ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ପରେ ଚନ୍ଦନଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍ଣ ସାଢ଼େ ୫ଟାରେ ରଥ ଆଜ୍ଞାମାଳ ବିଜେ ପରେ ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ ପାଲିଙ୍କି ଓ ବିମାନକୁ ବିଜେ କରିଥିଲେ। ସନ୍ଧ୍ୟା ୬ଟାରେ ଶ୍ରୀମନ୍ଦିରରୁ ବାହାରି ରଥଖଳା ରଥ ନିର୍ମାଣସ୍ଥଳରେ କିଛି ସମୟ ଅଟକିବା ପରେ ନରେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ନରେନ୍ଦ୍ର ଚକଡ଼ାରେ ପହଞ୍ଚିବା ପରେ ରାମ-କୃଷ୍ଣ , ମଦନମୋହନ, ଶ୍ରୀଦେବୀ, ଭୂଦେବୀ ନନ୍ଦାରେ ବିଜେ କରିଥିଲେ। ପଞ୍ଚ ମହାଦେବ ଭଦ୍ରାରେ ବିଜେ କରି ନୌବିହାର କରିଥିଲେ। ନରେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଯାତ୍ରା ବେଳେ ଚନ୍ଦନ ଠାକୁରଙ୍କୁ ଶ୍ରୀମନ୍ଦିର ସିଂହଦ୍ବାର, ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଅନ୍ୟାନ୍ୟ ସ୍ଥାନରେ ପନ୍ତି ଭୋଗ ଲାଗି ହୋଇଥିଲା। ଚାପ ଶେଷ ପରେ ବିଳମ୍ବିତ ରାତିରେ ଚନ୍ଦନ ଠାକୁର ଓ ପଞ୍ଚ ମହାଦେବଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hhkhkfhkfhk.jpg)