ଚନ୍ଦନେଶ୍ୱର : ହର୍‌ ହର୍‌ ମହାଦେବ... ଜୟ ଭୋଲେନାଥ... ଓମ୍‌ ନମଃ ଶିବାୟ... ଧ୍ବନିରେ ଆଜି ଚନ୍ଦନେଶ୍ବର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ହାକାଣ୍ଡ ପୋଖରୀରୁ ବାବା ଚନ୍ଦନେଶ୍ବର ଓ ମାତା ପାର୍ବତୀଙ୍କ ଘଟ ଉତ୍ତୋଳନ ପରେ ମନ୍ଦିରରେ ସ୍ଥାପନ ହୋଇଥିଲା। ଶୋଭାଯାତ୍ରାରେ ଦଶନଖୀ ଭକ୍ତମାନେ ନିଷ୍ଠାର ନିଦର୍ଶନ ସ୍ବରୂପ ନିଜ ନିଜ ଦେହରେ କଣ୍ଟା ଫୋଡ଼ି ହୋଇ ନୃତ୍ୟ କରିଥିଲେ। ସେହିପରି ପାରମ୍ପରିକ ବାଦ୍ୟର ତାଳେ ତାଳେ ମହାପ୍ରଭୁ ଶିବଙ୍କ ଅନୁଚର ଭୂତପ୍ରେତ ମୁଖାଧାରୀ ଭକ୍ତମାନଙ୍କର ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ଥିଲା। ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଚନ୍ଦନେଶ୍ବର ବାବାଙ୍କ ଚଡ଼କମେଳା ପଟାର୍ଘ୍ୟ ସହ ସମାପନ ହୋଇଛି।

Advertisment

ବାଲେଶ୍ବର ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ବର ଶୈବପୀଠରେ ୧୩ ଦିନ ଚାଲିଥିବା ଚଡ଼କ ମେଳାର ଆଜି ଥିଲା ‌ଶେଷ ପାଟପର୍ବ। ଏଥିପାଇଁ ପ୍ରତ୍ୟୁଷରୁ ବାବା ଚନ୍ଦନେଶ୍ବରଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା। ପାରମ୍ପରିକ ପ୍ରଥା ଅନୁଯାୟୀ, ବାଡ଼ସରିଷl ଗ୍ରାମରେ ଥିବା ହାକାଣ୍ଡ ପୋଖରୀରେ ବିଶେଷ ପୂଜାର୍ଚ୍ଚନା ସହ ବାବା ଚନ୍ଦନେଶ୍ୱର ଓ ମାତା ପାର୍ବତୀଙ୍କର ଘଟ ଉତ୍ତୋଳନ ହୋଇଥିଲା। ସେହି ଘଟକୁ ବିରାଟ ଶୋଭାଯାତ୍ରାରେ ମନ୍ଦିର ଯାଏ ଅଣାଯାଇଥିଲା। ଶୋଭାଯାତ୍ରା ମନ୍ଦିରରେ ପହଞ୍ଚିବା ପରେ ସେଠାରେ ବାବା ଚନ୍ଦନେଶ୍ୱର ଓ ମାତା ପାର୍ବତୀଙ୍କର ଘଟ ସ୍ଥାପନ କରାଯାଇଥିଲା। ପରେ ଅର୍ଘ୍ୟ ଅର୍ପଣ ପୂର୍ବକ ଚଡ଼କ ମେଳା ଉଦ୍‌ଯାପିତ ହୋଇଥିଲା।