ଚନ୍ଦନେଶ୍ୱର: ଭୋଗରାଇ ବ୍ଲକ୍‌ ଅଧୀନ ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ଚଡ଼କମେଳା ଆୟୋଜିତ ହେଉଛି। ୩ ତାରିଖଠାରୁ ବିଧିବଦ୍ଧ ଭାବେ ଚଡ଼କମେଳା ଆରମ୍ଭ ହୋଇଛି। ପ୍ରଥମ ଦିନ ୧୧ତମ ଅର୍ଘ୍ୟରେ ଧ୍ବଜ ବାଉଁଶ ଛେଦନ ହୋଇଛି। ସେହିପରି ଗତକାଲି ବାବାଙ୍କ ପୀଠରେ ମେଳର ୧୦ମ ଅର୍ଘ୍ୟ ସଂପନ୍ନ କରାଯାଇଛି। ପ୍ରଥା ଓ ପରମ୍ପରା ଅନୁସାରେ ନୀଳପୋଖରୀରୁ ଘଟ ଉତ୍ତୋଳନ ହୋଇଥିଲା। ପରେ ଭକ୍ତମାନେ ପାରମ୍ପରିକ ବାଦ୍ୟ ବଜାଇ ପୋଡ଼ା ବାଉଁଶ ସହ ସମସ୍ତ ସେବାୟତଙ୍କ ଘରକୁ ଯାଇଥିଲେ ଏବଂ ମେଳା ପାଇଁ ନିମନ୍ତ୍ରଣ ଜଣାଇଥିଲେ।

Advertisment

ସେହିପରି ଆଜି ମେଳାର ୯ମ ଅର୍ଘ୍ୟ ୧୩ ଜଣ ଭକ୍ତଙ୍କୁ ନେଇ ସଂପନ୍ନ ହୋଇଛି। ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କା ଉପବୀତ ଧାରଣ କରିଥିଲେ। ସେହିପରି ଭକ୍ତମାନେ ଶୋଭାଯାତ୍ରାରେ ଯାଇ ବିନ୍ଧାପଦ୍ମପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଜାହାଜୀଙ୍କ ନିକଟରେ ପ୍ରଥମ ବେକଡ଼ା ପକାଇଥିଲେ। ସେଠାରୁ ଆସି ବାବା ଚନ୍ଦନେଶ୍ୱରଙ୍କ ପୀଠରେ ବେକଡ଼ା ପକାଇଥିଲେ। ଏହି ସମୟରେ ଭକ୍ତମାନେ ବାବାଙ୍କୁ ଅର୍ଘ୍ୟ ଦାନ କରିଥିଲେ। ବେକଡ଼ା ପର୍ବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନୀଳପର୍ବ ଦିନ ଶେଷ ହେବ। ଅର୍ଘ୍ୟ ଦାନ ସମୟରେ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ମୌରସୀ ତପନ ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା, ବିଶ୍ୱଜିତ ଦାସ, ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କା, ଅସିତ ପାତ୍ର, ଦେବେନ୍ଦ୍ର ବେହେରା, ପ୍ରଣବ ସାହୁ, ସୁଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ବେକଡ଼ା ହେଉଛନ୍ତି ଶିବଙ୍କର ତାଣ୍ଡବ ନୃତ୍ୟର ଅଂଶ ସଦୃଶ।