ବନ୍ଦ ହୋଇପାରେ ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ପର୍ବ ଚନ୍ଦନେଶ୍ବର ମେଳା

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ପର୍ବ କୁହାଯାଉଥିବା ଚନ୍ଦନେଶ୍ବର ଚଡ଼କ ମେଳା ଉପରେ ପଡ଼ିଛି କରୋନା ଚଡ଼କ। ସାରା ବିଶ୍ବକୁ ଦୋହଲାଇ ଦେଇଥିବା କରୋନା ପ୍ରଭାବରୁ ବି ଏହି ମେଳା ବାଦ୍‌ ପଡ଼ିନାହିଁ। କରୋନା ଭୟରେ ଚଳିତବର୍ଷ ଏହି ମେଳାକୁ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏକପ୍ରକାର ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି। ଯଦିଓ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇନାହିଁ, କିନ୍ତୁ ଶନିବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମ୍‌ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ଓ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଏକ ଅନୌପଚାରିକ ବୈଠକରୁ ଏଭଳି ସନ୍ଦେଶ ମିଳିଛି।

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯିବା ପରେ ମାର୍ଚ୍ଚ ୩୧ ତାରିଖ ଯାଏ ସ୍କୁଲ କଲେଜ୍‌ଠାରୁ ଆରମ୍ଭ କରି ଜିମ୍‌, ମଲ୍‌, ସିନେମା ହଲ୍‌, ବିବାହ, ସଭା ଓ ଅନ୍ୟାନ୍ୟ ଉତ୍ସବକୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ପୀଠରେ ଚଡ଼କ ମେଳା ଆୟୋଜନ ଆତ୍ମଘାତୀ ହୋଇପା‌ରେ। କାରଣ ମାରାତ୍ମକ କରୋନା ଭୂତାଣୁରୁ ଦୂରେଇବା ରହିବା ଲାଗି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର