କରୋନା ପାଇଁ ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଚନ୍ଦନେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ

ମା ଘଣ୍ଟେଶ୍ବରୀଙ୍କ ପୀଠରେ ଚୈତ୍ର ଯାତ୍ରା ବାତିଲ

ଭୋଗରାଇ/ଚନ୍ଦନେଶ୍ବର : କରୋନା ପାଇଁ ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଚନ୍ଦନେଶ୍ବର ମନ୍ଦିର ଓ ଭୁଷଣ୍ଢେଶ୍ବର ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମନ୍ଦିରରେ ଠାକୁରଙ୍କ ପୂଜାନୀତି ଯଥାରୀତି ଚାଲିବ। କିନ୍ତୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିବାବେଳେ ମାନସିକ ପୂରଣ ପାଇଁ ଅଧିଆ ପଡ଼ିବାକୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରରୁ ହଟାଇ ଦିଆଯାଇଛି। ନିଜେ ବାଲେଶ୍ବର ଏସ୍‌ପି ଆଜି ମନ୍ଦିର ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। ମନ୍ଦିରରେ ଏଭଳି ଦର୍ଶନ ବନ୍ଦ ହେବା ପରେ ଏପ୍ରିଲ ମାସରେ ବାବାଙ୍କ ପ୍ରସିଦ୍ଧ ଚଡ଼କ ଯାତ୍ରା ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଚଡ଼କ ଯାତ୍ରାରେ ବାଲେଶ୍ବର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୁଅନ୍ତି। ତେଣୁ କରୋନା ସତର୍କତା ଦୃଷ୍ଟିରୁ ଚଳିତ ବର୍ଷ ଏହା ନ କରିବା ପାଇଁ ପ୍ରଶାସନ ଚିନ୍ତା କରୁଛି। ତେବେ ଏ ନେଇ କୌଣସି ବିଧିବଦ୍ଧ ସୂଚନା ଏ ଯାଏ ଦିଆ ଯାଇନାହିଁ।

ମା ଘଣ୍ଟେଶ୍ବରୀଙ୍କ ପୀଠରେ ଚୈତ୍ର ଯାତ୍ରା ବାତିଲ
ଧନକଉଡ଼ା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼କୁ ଏଡ଼ାଇବା ପାଇଁ ସମ୍ବଲପୁର ମହାନଗର ନିଗମ ବଗବିରାସ୍ଥତ ମା’ ଘଣ୍ଟେଶ୍ୱରୀଙ୍କ ପୀଠରେ ହେବାକୁ ଥିବା ଚୈତ୍ର ଯାତ୍ରାକୁ ବାତିଲ କରାଯାଇଛି। ବୁଧବାର ଟ୍ରଷ୍ଟ ସଭାପତି ସଞ୍ଜୟ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ୍‌ ୮ ତାରିଖରେ ହେବାକୁ ଥିବା ନବରାତ୍ର, ଛତ୍ର ଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। କେବଳ ପୀଠରେ ମା’ଙ୍କ ପୂଜା କରାଯିବ ବୋଲି ସଭାପତି କହିଛନ୍ତି। ଜନଗହଳିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସଭାରେ ପୂର୍ବତନ ସଭାପତି ଘନଶ୍ୟାମ କର, ରାସବିହାରୀ ପଣ୍ଡା, ନୃପରାଜ ନୟକ, ଗୋପୀନାଥ ନୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ସଭ୍ୟ/ସଭ୍ୟା ଦୋକାନୀ ଓ ପୂଜକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର