ଚନ୍ଦନପୁର ବଜାରରେ ୧୧ ଦୋକାନରୁ ଲୁଟ୍‌ ଘଟଣା, ସିସିଟିଭି ଫୁଟେଜ୍‌ରେ ଲୁଟେରା

ପୁରୀ:‌ ଗତ ୫ ତାରିଖ ବିଳମ୍ବିତ ରାତିରେ ଚନ୍ଦନପୁର ବଜାରରେ ଥିବା ୧୧ଟି ଦୋକାନରେ ଲୁଟେରାମାନେ କଳାକନା ବୁଲାଇଦେବା ଘଟଣାର ତଦନ୍ତରେ ପୁଲିସ ପାଦେ ଆଗେଇଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି କ୍ଲୋଜ୍‌ସର୍କିଟ୍‌ କ୍ୟାମେରାର ଫୁଟେଜ୍‌କୁ ସଂଗ୍ରହ କରିଛି। ଜଣେ ଲୁଟେରା ଗୋଟିଏ ଦୋକାନରେ ପଶି ପ୍ରଥମେ କ୍ଲୋଜ୍‌ସର୍କିଟ୍‌ କ୍ୟାମେରାର ଦିଗକୁ ବଦଳାଇଛି। ଏହାପରେ ଦୋକାନରୁ ମୂଲ୍ୟବାନ ଜିନିଷପତ୍ର ଲୁଟିଥିବା ଏହି ଫୁଟେଜରୁ ଜଣାପଡ଼ିଛି। ପ୍ରାୟ ୨୦ରୁ ୨୫ ବର୍ଷ ବୟସ୍କ ଏହି ଯୁବକ ଜଣକ ଏକ ଲୁହା ଛଡ଼ ଧରି ଦୋକାନ ଭିତରେ ପଶିଥିଲା। ଏହାପରେ ଧିରେ ଧିରେ ଏକ କାଚର ସୋ କେଶ୍‌ ଉପରେ ଚଢ଼ି ଏହି କ୍ୟାମେରାର ଦିଗକୁ ବଦଳାଇ ଦେଇଥିଲା। ଏହି ସମୟରେ ଲୁଟେରାର ଚେହେରା କ୍ୟାମେରାରେ କଏଦ ହୋଇଯାଇଛି। କିନ୍ତୁ ଏହି ଲୁଟେରା ଜଣକୁ କେହି ଚିହ୍ନି ପାରୁନାହାନ୍ତି। ପୁଲିସର ଡାଏରିରେ ମଧ୍ୟ ଏହି ଲୁଟେରା ନଥିବା ଜଣାପଡ଼ିଛି। ତେଣୁ ତାକୁ ଚିହ୍ନଟ କରିବା ପାଇଁ ପୁଲିସ ସମସ୍ତ ଥାନାକୁ ଏହାର ଫୁଟେଜକୁ ପଠାଇଛି।

ସୂଚନାଯୋଗ୍ୟ ଯେ ଏକକାଳୀନ ଏତେ ଦୋକାନରୁ ଚୋରି ହେବା ଚନ୍ଦନପୁର ଥାନା ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାବେଳେ ଏହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଖବର ନେବାରେ ଜଣାପଡ଼ିଛି ଯେ ଗତ ୫ ତାରିଖ ରାତି ପ୍ରାୟ ୧୨ଟାରେ ଦୋକାନବଜାର ବନ୍ଦ ହୋଇଯିବା ପରେ ଲୁଟେରାମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହି ଲୁଟ୍‌ ମାମଲାରେ କେତେ ଜଣ ସାମିଲ ଅଛନ୍ତି ତାହା ଜଣାପଡ଼ୁନାହିଁ। କ୍ଲୋଜ ସର୍କିଟ୍‌ କ୍ୟାମେରାରେ ମାତ୍ର ଜଣେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଅନ୍ୟମାନଙ୍କର କୌଣସି ଫୁଟେଜ୍‌ ନାହିଁ। ଗତ ୬ ତାରିଖ ଦିନ ସକାଳେ ଖବର ପାଇ ଦୋକାନୀମାନେ ପହଞ୍ଚିଲା ବେଳକୁ ଦୋକାନ ସବୁ ତାଲା ଭଙ୍ଗା ଅବସ୍ଥାରେ ପଡ଼ିଥିଲା। କିଛି ଦୋକାନର ସଟର୍‌ ବି ତଡ଼ାଯାଇଥିଲା। କାହା ଦୋକାନରୁ ଟଙ୍କା ତ’ କାହା ଦୋକାନରୁ ଦାମୀ ଆସବାବପତ୍ର ଚୋରି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର