ଚାନ୍ଦବାଲି ବ୍ଲକରେ ଗାଁ ଭିତରକୁ ଗଲାନାହିଁ ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହା ହେଲେ କ୍ୟାନସର ରୋଗୀ

ଚାନ୍ଦବାଲି: ରାଜ୍ୟ ବିକାଶର ଚିତ୍ର ଦେଖାଉଥିବା ବେଳେ ବିଂଶ ଶତାବ୍ଦୀରେ ମଧ୍ୟ ଗାଁ ମଧ୍ୟକୁ ପଶିପାରୁନାହିଁ ଆମ୍ବୁଲାନ୍ସ । କାରଣ ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ , ଆମ୍ବୁଲାନ୍ସ ଯିବା ଅସମ୍ଭବ। ତେଣୁ ରୋଗୀଙ୍କୁ ଡ଼ାକ୍ତରଖାନା ନେବା ପାଇଁ ଖଟିଆ ମାଧ୍ୟମ ପାଲଟିଛି । ଏ ଦୁର୍ଭାଗ୍ୟ ଜନକ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତ ବିଲ ନୂଆଗାଁର  ।

ବିଲନୂଆଗାଁର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ଦିଲୀପ ବିଶ୍ୱାଳ(୩୫) କିଡ଼ିନ୍ କ୍ୟାନସରରେ ପୀଡ଼ିତ ହୋଇ ରୋଗ ଶଯ୍ୟାରେ ଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ମେଡ଼ିକାଲ ନେବାକୁ ବାହାରିଥିଲେ । ୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ଡ଼କାଇବା ପରେ ଆମ୍ବୁଲାନ୍ସ ଗାଁ ଠାରୁ ଦେଢ଼ କିମି ବାଟ ଦୁରରେ ଠିଆ ହୋଇଥିଲା । ପରିବାର ଓ ଗ୍ରାମ ବାସୀ ଖଟିଆରେ ଦୀର୍ଘ ଦେଢ଼ କିମି ବାଟ ଖଟିଆରେ ବୋହି ବୋହି ଆଣି ରାସ୍ତା ଉପରେ ଠିଆ ହୋଇଥିବା ଆମ୍ବୁଲାନ୍ସ ସାହାଯ୍ୟରେ ମେଡ଼ିକାଲକୁ ଆଣିଥିଲେ ।


ବିଗତ ଦିନ ମାନଙ୍କରେ ଗାଁକୁ ଲମ୍ବିଥିବା ମୁଖ୍ୟ ରାସ୍ତାରେ ଯିବା ମଧ୍ୟ ସମ୍ଭବ ହୋଇପାରୁ ନଥିବାରୁ ଗାଁର ଲୋକମାନେ ବିଲ ମଧ୍ୟଦେଇ ଯିବା ଆସିବା କରିଥାନ୍ତି । ହେଲେ ବର୍ଷା ଦିନ ଆସିଗଲେ ୧୦୮ ଆମ୍ବୁଲାନ୍ସ ଗାଡ଼ି କିମ୍ବା ଦମକଳ ଗାଡ଼ି ଏହି ରାସ୍ତାକୁ ପଶିପାରେ ନାହିଁ । ରୋଗୀ ମାନଙ୍କୁ ସାଙ୍ଗିଭାରରେ ବୁହା ଯାଇ ମୁଖ୍ୟରାସ୍ତାକୁ ଆଣିଥିବା ବେଳେ ସେଠାରୁ ମେଡ଼ିକାଲ ନିଆଯାଏ । ସେହିପରି ଗାଁରେ ନିଆଁ ଲାଗିଗଲେ ଦମକଳ ଗାଡ଼ି ମଧ୍ୟ ପହଞ୍ଚିପାରେ ନାହିଁ । ଅପହଞ୍ଚ ଇଲାକା ଭାବରେ ପରିଚିତ ଏହି ରାସ୍ତା ପ୍ରତି ସରକାରୀ ଅଧିକାରୀ କିମ୍ବା ରାଜନେତା କାହାରି ଦୃଷ୍ଟି ପଡ଼ୁନଥିବା ସବୁଠୁ ଆଶ୍ଚର୍ଯ୍ୟର କଥା ।

ସମ୍ବନ୍ଧିତ ଖବର