ଭାରତୀୟ ଡ଼ାକ ବିଭାଗର ସ୍ୱତନ୍ତ୍ର ଡ଼ାକ ଲଫାପାରେ ମୁଦ୍ରିତ ହେଲା ଚାନ୍ଦବାଲିର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର

ଚାନ୍ଦବାଲି: ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଭଦ୍ରକ ଡ଼ାକ ମଣ୍ଡଳ ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମା’ କାଳୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଡ଼ାକ ମଣ୍ଡଳ ଅଧିକାରୀ ସର୍ବେଶ୍ୱର ମିଶ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ମା’କାଳୀ କମିଟିର ସମ୍ପାଦକ ଖଗେଶ୍ୱର ବଳ ଓ ସାଧନା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀକାନ୍ତ ମହାଳିକ ଯୋଗଦାନ କରିଥିଲେ । ଆଇ.ପି.ପି.ବି. ଭଦ୍ରକ ବ୍ରାଞ୍ଚର ସିନିଅର ମ୍ୟାନେଜର ପ୍ରିୟ ରଂଜନ ରାଉତ ଯୋଗଦାନ କରିଥିବା ବେଳେ ଚାନ୍ଦବାଲି ଉପଡ଼ାକ ଘର ପୋଷ୍ଠମାଷ୍ଟର ପ୍ରଦୋଷ କୁମାର ସାହୁ, ସାମନ୍ତରାୟପୁର ଶାଖା ଉପଡ଼ାକଘରର ପୋଷ୍ଟମାଷ୍ଟର ଦେବାଶିଷ ଦାସ,ମଞ୍ଚାସୀନ ହୋଇ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କରିଥିଲେ । ୧ହଜାର ଲଫାପା ଛପା ହୋଇଥିବା ବେଳେ ଏଥିରେ ମା’ଙ୍କ ମୁଖଶାଳା ସହିତ ଅବିକଳ ମା’ଙ୍କ ପ୍ରତିମା ଛବି ଓ ଚାନ୍ଦବାଲିର ଐତିହ୍ୟ କିମ୍ବଦନ୍ତୀ ତୋପ , ବୈତରଣୀ ନଦୀର ପ୍ରାକୃତିକ ସୈାନ୍ଦର୍ଯ୍ୟ ଫଟୋ ମଧ୍ୟ ସ୍ଥାନିତ ହୋଇଥିବା ବେଳେ ଅଗ୍ରଣୀ ସାହିତ୍ୟ ସଂସ୍କୃତି ପରିଷଦ ସାଧନା ମଧ୍ୟ ସ୍ଥାନ ପାଇଛି । କ୍ୟାନ୍ସଲେସନ ଷ୍ଟାମ୍ଫ ମଧ୍ୟ ମୁଦ୍ରିତ ହୋଇଛି ।

ମା’ଙ୍କ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ ହେବା ପରେ ଚାନ୍ଦବାଲି ଅଞ୍ଚଳବାସୀ ଡ଼ାକ ବିଭାଗକୁ ସାଧୁବାଦ ଜଣାଇଛନ୍ତି । ଭଦ୍ରକ ଡ଼ାକ ଅଧ୍ୟକ୍ଷକଙ୍କ ନିଜସ୍ୱ ଆସିଷ୍ଟାଣ୍ଟ ଶାନ୍ତନୁ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସୁଶ୍ରୀ ସାଇନ ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ସମ୍ବନ୍ଧିତ ଖବର