ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନଳଗୋହୀରା ପଞ୍ଚାୟତର ସବୁଠୁ ଅବହେଳିତ ଗାଁ ବିଲନୂଆ ଗାଁ ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇଥିଲା ଯେ ଗାଡ଼ି ଚାଲିବା ତ ଦୂରର କଥା ଲୋକେ ଖାଲି ପାଦରେ ଚାଲିବା କଷ୍ଟକର ବି ହୋଇପଡ଼ୁଥିଲା । ଗାଁର କାହାର ଦେହ ଖରାପ ହେଲେ ୧୦୮ ଆମ୍ବୁଲାନ୍ସ ଆସିପାରୁନଥିବା ବେଳେ ଗାଁରେ ନିଆଁ ଲାଗିଗଲେ ଦମକଳ ଗାଡ଼ି ଗାଁ ଭିତରକୁ ପଶି ପାରୁ ନଥିଲା । ଦୁଇ କିମି ରାସ୍ତାର ଅବସ୍ଥାକୁ ନେଇ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥଲେ ।
ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ଗାଁର ଲୋକେ ଭଲ ରାସ୍ତା ଖଣ୍ଡିଏ ଦେଖିପାରି ନଥିଲେ । ତେବେ ଗତ ଜୁଲାଇ ମାସରେ ୯ତାରିଖ ବିଳମ୍ବିତ ରାତ୍ର ୧୦ ଟା ସମୟରେ ଗାଁର ଜଣେ ପକ୍ଷାଘାତ ରୋଗୀକୁ ମେଡ଼ିକାଲ ନେବାପାଇଁ ଆମ୍ବୁଲାନ୍ସ ଡ଼କାଇଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବାପାଇଁ ମନା କରିଥିଲା । ଫଳରେ ଗାଁ ଲୋକେ ଖଟିଆ ସାହାଯ୍ୟରେ ଦୀର୍ଘ ଦୁଇ କିମି ବାଟ ବୋହି ବୋହି ଆଣିଥିଲେ । ପରଦିନ ୧୦ ତାରିଖ ସକାଳେ ଏନେଇ ସମ୍ବାଦ ଡଟ୍ ଇନରେ ଖବର ପ୍ରକାଶିତ ହୋଇଥିଲା ।
ଅରୁଣ ସାହୁ ନାମକ ଜଣେ ସମାଜସେବୀ ଏହି ସମ୍ବାଦ ଡଟ୍ ଇନ ଲିଙ୍କକୁ ଟୁଇଟ ମାଧ୍ୟମରେ ଏସ୍.ଆର.ସିଙ୍କୁ ଅବଗତ କରାଇଥିଲେ । ଏହାକୁ ନେଇ ସାରା ଦିନ ଟୁଇଟରରେ ଟ୍ରେଣ୍ଡ କରିଥିଲା । ଏସ.ଆର.ସି.ଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଘଟଣାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ବ୍ଳକ ପ୍ରଶାସନ ଘନଘନ ପରିଦର୍ଶନ କରିଥିବା ବେଳେ ଏନେଇ ଅମ୍ଫାନରୁ ୩ଲକ୍ଷ ଟଙ୍କା, ଏମ.ଜି.ଏନ.ଆର.ଇ.ଜି.ଏସ. ଅନୁଦାନରୁ ୫ଲକ୍ଷ ଟଙ୍କା ଓ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁଦାନରୁ ୨ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ନିର୍ମାଣ ହୋଇଛି। ତେବେ ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ‘ସମ୍ବାଦ’କୁ ସାଧୁବାଦ ଜଣାଇଛନ୍ତି ।