ବୀମାଛାଡ଼ ଟଙ୍କା ଉଠାଣ ପାଇଁ ସମବାୟ ବ୍ୟାଙ୍କ ଆଗରେ ଲମ୍ବାଲାଇନ୍: ବିନା ମାସ୍କରେ ଚାଷୀ, ମାନୁ ମାନୁନାହାଁନ୍ତି ସାମାଜିକ ଦୂରତା

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଠିକ ସମୟରେ ଖୋଲୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସମବାୟ ସମିତିରୁ ଋଣ ନେଇ ଚାଷ କରୁଥିବା ଋଣୀ ଚାଷ ବୀମା ଟଙ୍କା ଛାଡ଼ ଆସିଥିବା ବେଳେ ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ । ଟଙ୍କା ଉଠାଇବା ପାଇଁ ଦୂର ଦୂରାନ୍ତରୁ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଥିବା ଦେଖିବାକୁ ମିଳିଛି । ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଥକି ଗଲା ପରେ କିଏ ହେଲମେଟ ଥୋଇ ଖରାରୁ ରକ୍ଷା ପାଉଛି ତ ପୁଣି କିଏ ଇଟା, ବହି ଖାତା ଏମିତି ଯିଏ ଯାହା ପାରୁଛି ଥୋଇ ଜାଗା ରଖୁଛି ।

ସବୁଠୁ ବଡ଼ କଥା ଲାଇନରେ ଛିଡ଼ା ହୋଇ ଥକିଗଲା ପରେ ବ୍ୟାଙ୍କ ସମ୍ମୁଖରେ ଏକତ୍ରିତ ହେଉଛନ୍ତି ଶତାଧିକ ଲୋକେ । ନା ସେମାନଙ୍କ ମୁହଁରେ ମାସ୍କ ଅଛି ନା ସେମାନେ ସାମାଜିକ ଦୂରତ୍ୱ ରଖୁଛନ୍ତି । କରୋନା ସମୟରେ ଘରେ ଅର୍ଥ ନଥିବାରୁ ଟଙ୍କା ଉଠାଣ ପାଇଁ ରାତି ୩ଟାରୁ ଜଳେଶ୍ୱପୁର, ଯଶିପୁର ଆଦି ଅଞ୍ଚଳରୁ ଆସିଛୁ ହେଲେ ପୂର୍ବାହ୍ନ ୧୧ଟା ବାଜିଲାଣି ହେଲେ ବ୍ୟାଙ୍କ ଖୋଲୁ ନଥିବାରୁ ସମସ୍ୟା ଉପୁଜୁଛି ବୋଲି ଋଣୀ ଚାଷୀ କହିଛନ୍ତି । ପ୍ରକାଶ ଥାଉକି ଜଳେଶ୍ୱରପୁର, ଯଶିପୁର, ଓରାସାହୀ ମାଧପୁର, ତେନ୍ତଲିଡ଼ିହି ଆଦି ସେବା ସମବାୟ ସମିତିକୁ ଚଳିତ ବର୍ଷ ବୀମାରାଶି ଛାଡ଼ ରାଶି ଆସିଥିବାରୁ ଲୋକେ ଟଙ୍କା ଉଠାଣ କରିବା ପାଇଁ ଭିଡ଼କୁ ଲକ୍ଷକରି ରାତିଅଧରୁ ଉଠି ପଳାଇ ଆସୁଛନ୍ତି ।

ସମ୍ବନ୍ଧିତ ଖବର