ଅବିଶ୍ରାନ୍ତ ବର୍ଷାରେ ବେହାଲ ଚାନ୍ଦବାଲି : ଭୁଷୁଡ଼ିଲା ଧାମରା ବନ୍ଦର ପାଚେରି, ଅଳ୍ପର୍କେ ବର୍ତିଲେ ଗ୍ରାମବାସୀ

ଚାନ୍ଦବାଲି: ଲଗୁଚାପଜନିତ ବର୍ଷା ହେତୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବେହାଲ ପରିସ୍ଥିତ ସୃଷ୍ଟି ହୋଇଛି । ଧାମରା ବନ୍ଦର କମ୍ପାନିର ୬୦ଫୁଟର ପାଚେରି ଭୁଷୁଡ଼ି ପଡ଼ିଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଧାମରା ବନ୍ଦର ଉତ୍ତର ପଟ ରବୀନ୍ଦ୍ର ନଗର ଗାଁ ସୀମାକୁ ଲାଗିରହିଥିବା ଏହି ପାଚେରି ପ୍ରବଳ ବର୍ଷାରେ ଆଜି ଅପରାହ୍ନରେ ଭୁଷୁଡ଼ି ପଡ଼ିଛି । ବର୍ଷା ସମୟରେ ପାଚେରି ନିକଟରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି । ତେବେ ପାଚେରି କାର୍ଯ୍ୟ ଅତି ନିମ୍ନ ମାନର ଓ ବହୁ ପୁରୁଣା ହୋଇଯାଇଥିବାରୁ ପାଚେରିର ମୁଳଦୁଆରେ ରଡ଼ ବାହାରି ପଡ଼ିଛି । ତେବେ ଦିନକୁ ଦିନ ଦୁର୍ବଳ ହୋଇଯାଇଥିବା ପାଚେରି ଲଗୁଚାପ ବର୍ଷାରେ ଭୁଷୁଡ଼ି ପଡ଼ିଥିବା ଗ୍ରାମବାସୀ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳବାସୀ କମ୍ପାନିର ପାଚେରି ନିକଟରେ ଚଳପ୍ରଚଳ ହେଉଥିବା ବେଳେ ପିଲାଛୁଆ ମଧ୍ୟ ଏହା ନିକଟରେ ଖେଳକୁଦ କରିଥାନ୍ତି ଏବଂ ସ୍ଥାନୀୟ ଲୋକେ ଗାଇଗୋରୁ ଚରାଇଥାନ୍ତି। ପାଖରେ ଥିବା ଥାନା ନାଳରେ ମାଛ ଧରିଥାନ୍ତି । ତେବେ ବିପଦ ପୂର୍ଣ୍ଣ ହୋଇପଡ଼ିଥିବା ଏହି ପାଚେରିକୁ ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି । ସେହିପରି ଅବିଶ୍ରାନ୍ତ ବର୍ଷାରେ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅବସ୍ଥା ବେହାଲ ହୋଇପଡ଼ିଛି । ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଟିକିଏ ବର୍ଷା ହେଲେ ଅବସ୍ଥା ବେହାଲ ହୋଇପଡ଼େ ।

ପାଞ୍ଚପଡ଼ା କାଳୀମନ୍ଦିର ସମ୍ମୁଖ ସତ୍ୟନାରାୟଣ କଲୋନିକୁ ଯିବା ପାଇଁ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ୁଛି । ରତାକୟାଁବାସୀଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି । ଘର ମଧ୍ୟରେ ବର୍ଷାଜଳ ପଶିଯାଇ ଲହଡ଼ି ଭାଙ୍ଗୁଛି । ଲୋକଙ୍କୁ ଚୁଲିରେ ମଧ୍ୟ ପାଣି ପଶିଯାଇଛି । ତେବେ ୱାର୍ଡ଼ରେ ଡ୍ରେନେଜ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି କେହି ନଜର ଦେଉନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର