କଟକ : ୧୦୦ କ୍ବିଣ୍ଟାଲରୁ ଅଧିକ ଓଜନର ଚାନ୍ଦି, ୫୭ କିଲୋରୁ ଅଧିକ ଓଜନର ସୁନାରେ ସଜେଇ ହୋଇଛି ରୌପ୍ୟନଗରୀ କଟକ। ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଝଲସି ଉଠିଛି ସହର। ଆକର୍ଷଣୀୟ ଗେଟ୍, ଆଲୋକ ସଜ୍ଜା ସାଙ୍ଗକୁ ଚାନ୍ଦି ମେଢ ଆଉ ସୁନା ମୁକୁଟ, ଅଳଙ୍କାରରେ ସହରର ରୂପ ବଦଳି ଯାଇଛି। କଟକ ଦଶହରାର ସ୍ବତନ୍ତ୍ର ଆକର୍ଷଣ ହେଉଛି ଏହାର ସୁନା-ଚାନ୍ଦିର ମେଢ। ଏଭଳି ଏତେ ସଂଖ୍ୟାରେ ସୁନା-ଚାନ୍ଦି ମେଢ କେବଳ ଭାରତ ନୁହେଁ, ବିଶ୍ବରେ ବି କୌଣସିଠାରେ ଦେଖିବାକୁ ମିଳେ ନାହିଁ। କଟକ ଦଶହରାରେ ବ୍ୟବହାର ହେଉଥିବା ସୁନା ଓ ଚାନ୍ଦିର ମୂଲ୍ୟ ବର୍ତ୍ତମାନର ବଜାର ଦର ଅନୁସାରେ ୮୫ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।
ତଥ୍ୟ ଅନୁଯାୟୀ କଟକ ମହାନଗରରେ ୧୭୦ରୁ ଅଧିକ ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଆୟୋଜନ ହେଉଛି। ସେଥିରୁ ୨୮ଟି ମଣ୍ଡପରେ ଚଳିତ ବର୍ଷ ସଂପୂର୍ଣ୍ଣ ଚାନ୍ଦି ମେଢ ଶୋଭା ପାଉଥିବା ବେଳେ ଅନେକ ମେଢ ଅସଂପୂର୍ଣ୍ଣ ଅବସ୍ଥାରେ ଅଛନ୍ତି। ୧୯୫୬ ମସିହାରେ କଟକର ପ୍ରଥମ ଚାନ୍ଦି ମେଢ ପ୍ରସ୍ତୁତ ହୋଇଥିଲା ଚୌଧୁରୀ ବଜାରରେ। ତା ପରକୁ ୧୯୯୧ରେ ଦ୍ବିତୀୟ ଚାନ୍ଦି ମେଢ ପ୍ରସ୍ତୁତ ହେଲା ଶେଖ୍ ବଜାରରେ। ୨୦୨୨ରେ ନୂଆ ଚାନ୍ଦି ମେଢରେ କଲେଜ୍ ଛକ ପୂଜା ମଣ୍ଡପରେ ପୂଜା ଆୟୋଜନ ହେଉଛି। ସହରର ଅନ୍ୟ ସଂପୂର୍ଣ୍ଣ ଚାନ୍ଦି ମେଢ ମଧ୍ୟରେ ରହିଛନ୍ତି ଖଟବିନ୍ ସାହି, ତୁଳସୀପୁର ମହାଦେବ, ବିଡାନାସୀ ଦୁର୍ଗା ପୂଜା କମିଟି, ବୁଢୀ ଠାକୁରାଣୀ କାଳୀଗଳି, ଚାନ୍ଦିନୀଚୌକ, ହରିପୁର-ଦୋଳମୁଣ୍ଡାଇ, ପିଠାପୁର କାଳୀୟଦଳନ, ମଙ୍ଗଳବାଗ, ମାଛୁଆ ବଜାର ସର୍ପାଦୁର୍ଗା, ଗଙ୍ଗା ମନ୍ଦିର, ଦରଘା ବଜାର, ଶଙ୍କରପୁର-ବାଦାମବାଡି, ଗଣେଶ ଘାଟ, କାଠଗଡ଼ା ସାହି, ବାଲୁବଜାର-ବିନୋଦବିହାରୀ, ଅଲିଶା ବଜାର, ନୟାସଡ଼କ, ଫିରିଙ୍ଗ ବଜାର, କାଜୀ ବଜାର, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି, ରାଣୀହାଟ, ଛତ୍ରବଜାର, ବାଖରାବାଦ୍, ଚାଉଳିଆଗଂଜ ଓ ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା ମଣ୍ଡପ। ହାରାହାରି ଭାବେ ଦେଖିଲେ ପ୍ରତି ମେଢରେ ସାଢେ ୩ କ୍ବିଣ୍ଟାଲ୍ ଚାନ୍ଦି ବ୍ୟବହାର ହେଉଛି। ଏହି ହିସାବରେ ୯୮ କ୍ବିଣ୍ଟାଲ ଚାନ୍ଦି ବ୍ୟବହାର ହୋଇଛି ମେଢରେ। ଅସଂପୂର୍ଣ୍ଣ ଚାନ୍ଦି ମେଢ, ଚାନ୍ଦି ଅଳଙ୍କାର ଇତ୍ୟାଦିକୁ ମିଶାଇଲେ ମେଢରେ ବ୍ୟବହୃତ ଚାନ୍ଦିର ପରିମାଣ ଶହେ କ୍ବିଣ୍ଟାଲରୁ ଅଧିକ ହେବ।
ଅନ୍ୟପଟେ ମେଢରେ ସୁନା ବ୍ୟବହାର କରିବାରେ ବି ଚୌଧୁରୀ ବଜାର ପୂଜା ମଣ୍ଡପ ରେକର୍ଡ ରଖିଛି। ଚୌଧୁରୀ ବଜାର ମେଢରେ ୯ଟି ସୁନା କଲି ଲାଗିଛି। ପ୍ରତି କଲିର ଓଜନ ୧ କିଲୋ ହିସାବରେ ୯ କିଲୋ ସୁନା ରହିଛି। ମେଢରେ ଗୋଟିଏ ସୁନାର ଓଁ ଲାଗିଛି।, ତାହାର ଓଜନ ବି ଏକ କେଜି। ମାଙ୍କ ହାର, ମୁକୁଟ, ଅନ୍ୟ ଅଳଙ୍କାରକୁ ହିସାବ କଲେ ମେଢରେ ୩୦ କିଲୋରୁ ଅଧିକ ଓଜନର ସୁନା ଲାଗିଛି। ଶେଖ ବଜାର ମେଢରେ ୫ କିଲୋରୁ ଅଧିକ ସୁନା ଲାଗିଛି। କାଠଗଡ଼ା ସାହି, ମଙ୍ଗଳାବାଗ, ଚାଉଳିଆଗଂଜ, ରାଣୀହାଟ, ଖାନନଗର, ହରିପୁର-ଦୋଳମୁଣ୍ଡାଇ ଓ କଲେଜ ଛକ ଭଳି ମୋଟ ୯ଟି ମଣ୍ଡପର ମେଢରେ ସୁନା ମୁକୁଟ, ସୁନା ମୟୂର ଇତ୍ୟାଦି ବ୍ୟବହାର ହୋଇଛି। ଚୌଧୁରୀ ବଜାର ଓ ଶେଖ୍ ବଜାରକୁ ବାଦ୍ ଦେଲେ ଅନ୍ୟ ୭ଟି ମଣ୍ଡପରେ ହାରହାରି ଭାବେ ୪ କିଲୋ ସୁନା ବ୍ୟବହାର ହୋଇଛି। ଅନ୍ୟ ଅନେକ ମଣ୍ଡପ ମାଙ୍କର ବିଭିନ୍ନ ଅଳଙ୍କାର ସୁନାରେ ପ୍ରସ୍ତୁତ କରିଛନ୍ତି। ଏଭଳି ହିସାବରେ ଦେଖିଲେ ବିଭିନ୍ନ ପୂଜା ମଣ୍ଡପରେ ୫୭ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଛି।
ବର୍ତ୍ତମାନର ବଜାର ଦର ଅନୁସାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୪୭ ହଜାର ୫ଶହ ଟଙ୍କା ରହିଛି। ଫଳରେ ୫୭ କିଲୋ ସୁନାର ବର୍ତ୍ତମାନର ବଜାର ଦର ହେଉଛି ୨୭ କୋଟି ଟଙ୍କାରୁ ଅଧିକ। ସେହିଭଳି ୧ କିଲୋ ଚାନ୍ଦିର ଦର ବର୍ତ୍ତମାନ ୫୮ ହଜାର ଟଙ୍କା ହୋଇଥିବା ବେଳେ ୧୦୦ କ୍ବିଣ୍ଟାଲରୁ ଅଧିକ ଚାନ୍ଦିର ଦର ହେବ ୫୮ କୋଟି ଟଙ୍କାରୁ ଅଧିକ। ଏଭଳି ଏକ ମୋଟା ହିସାବରେ କଟକ ସହର ଏବେ ୮୫ କୋଟିରୁ ଅଧିକ ଟଙ୍କାର ସୁନା-ଚାନ୍ଦିରେ ଝଲସୁଛି।