ଚଣ୍ଡିଖୋଲ ଆରଡି ସବଡିଭିଜନ୍ କେଳେଙ୍କାରୀ ଦୁଇଟି ରାସ୍ତାରେ ୧୯୧ ଗୁପ୍ତ ଟେଣ୍ଡର,୧.୬୫କୋଟି ଚଳୁ!

ଯାଜପୁର : ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗର ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନ୍‌ର କେଳେଙ୍କାରୀ ପେଡ଼ି ଖୋଲିବାରେ ଲାଗିଛି। ଖୋଲା ଟେଣ୍ଡର କରାନଯାଇ ଗୁପ୍ତ ଟେଣ୍ଡର ବଳରେ କୋଟି କୋଟି ଟଙ୍କା ଯନ୍ତ୍ରୀ ଓ ଠିକାଦାରଙ୍କର ଅସାଧୁମେଣ୍ଟ ଚଳୁ କରିଚାଲିଛନ୍ତି। ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ଆଉ ଏକ ମହାଦୁର୍ନୀତିର ତଥ୍ୟ। ଚଣ୍ଡିଖୋଲ ସବଡିଭିଜନର ୨ଟି ରାସ୍ତାରେ ୧୯୧ଟି ଗୁପ୍ତ ଟେଣ୍ଡର କରି ୧.୬୫କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଜାରକା ଆରଡି ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବଡିଭିଜନର ରଇପୁର-ବାଲିଆ ରାସ୍ତାରେ ୯୮ଟି ଏଫ୍-୨ ଓ ୧୩ ପି-୧ ମୋଟ ୧୧୧ ଟି ଗୁପ୍ତ ଟେଣ୍ଡର କରାଯାଇଛି। ୨୦୧୨-୧୩ ଆର୍ଥିକ ବର୍ଷରେ ୩୬ଟି ଏଫ୍-୨, ୨୦୧୩-୧୪ ଆର୍ଥିକ ବର୍ଷରେ ୪୮ଟି ଏଫ୍-୨, ୨୦୧୪-୧୫ ଆର୍ଥିକ ବର୍ଷରେ ୨ଟି ଏଫ୍-୨ , ୨୦୧୫-୧୬ ଆର୍ଥିକ ବର୍ଷରେ ୧୨ଟି ଏଫ୍-୨ ଓ ୩ଟି ପି-୧ ଓ ୨୦୧୬ -୧୭ ଆର୍ଥିକ ବର୍ଷରେ ଗୋଟିଏ ପି-୧ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୪ଟି ପି-୧, ୨୦୧୮-୧୯ ଆର୍ଥିକ ବର୍ଷରେ ୨ଟି ପି-୧ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୩ଟି ପି-୧ କରାଯାଇଛି। ୧୧୧ ଟି ଗୁପ୍ତ ଟେଣ୍ଡରରେ ମୋଟ ୯୫ଲକ୍ଷ ୧୭ହଜାର ୧୪୯ ଟଙ୍କା ବ୍ୟୟ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଖୋଲା ଟେଣ୍ଡର କରାନଯାଇ ଦୀର୍ଘ ବର୍ଷ ଧରି ଏହି ରାସ୍ତାରେ କେବଳ ଗୁପ୍ତ ଟେଣ୍ଡର ଚାଲିଛି। ଏହି ଗୁପ୍ତ ଟେଣ୍ଡର ଗୁଡିକ କେଉଁ ନିୟମ ଆଧାରରେ ପ୍ରତି ବର୍ଷ କରାଗଲା ତାହା ତଦନ୍ତ ସାପେକ୍ଷ।

ସେହିପରି ନୂଆହାଟ-ହରିପୁର ରାସ୍ତାରେ ୮୦ଟି ଗୁପ୍ତ ଟେଣ୍ଡର ଓ ୩ ଟି ଖୋଲା ଟେଣ୍ଡର କରାଯାଇଛି। ୨୦୧୨-୧୩ ଆର୍ଥିକ ବର୍ଷରେ ୧୮ଟି ଏଫ୍-୨, ୨୦୧୩-୧୪ ଆର୍ଥିକ ବର୍ଷରେ ୨୩ଟି ଏଫ୍-୨, ୨୦୧୪-୧୫ ଆର୍ଥିକ ବର୍ଷରେ ୨୦ଟି ଏଫ୍-୨, ୨୦୧୫-୧୬ ଆର୍ଥିକ ବର୍ଷରେ ୧୦ଟି ଏଫ୍-୨ ଓ ଗୋଟିଏ ଖୋଲା ଟେଣ୍ଡର କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୭ଟି ପି-୧ ଓ ଗୋଟିଏ ଖୋଲା ଟେଣ୍ଡର, ୨୦୧୮-୧୯ ଆର୍ଥିକ ବର୍ଷରେ ୨ଟି ପି-୧ ଓ ଗୋଟିଏ ଖୋଲା ଟେଣ୍ଡର, ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ଖୋଲା ଟେଣ୍ଡର କରାଯାଇଛି। ଏହି ରାସ୍ତାରେ ୭୧ଟି ଏଫ୍-୨, ୯ଟି ପି-୧ ଓ ୩ଟି ଖୋଲା ଟେଣ୍ଡର କରାଯାଇଛି । ୮୦ଟି ଗୁପ୍ତ ଟେଣ୍ଡରରେ ୭୦ଲକ୍ଷ ୧୪ ହଜାର ୮୦୪ ଟଙ୍କା ଓ ୩ ଟି ଖୋଲା ଟେଣ୍ଡରରେ ୭୯ ଲକ୍ଷ ୨୧ ହଜାର ୩୮ ଟଙ୍କା ବ୍ୟୟ କରାଯାଇଛି। ମୋଟ ୧କୋଟି ୪୯ ଲକ୍ଷ ୩୫ ହଜାର ୮୪୨ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ନିର୍ଦ୍ଦିଷ୍ଟ ଯନ୍ତ୍ରୀ ଓ ଠିକାଦାରଙ୍କର ଅସାଧୁମେଣ୍ଟ ବେଆଇନ୍ ଭାବେ ଗୁପ୍ତ ଟେଣ୍ଡର ଜରିଆରେ ଏହି ରାସ୍ତାରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ହରିଲୁଟ କରିଚାଲିଛନ୍ତି । ଏହି ସବଡ଼ିଭିଜନ୍‌ରେ ଗତ ୭ବର୍ଷରେ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରେ ହରିଲୁଟ୍ ଚାଲିଛି। ଏପରିକି ସବ୍‌ଡିଭିଜନ୍‌ ଦାୟିତ୍ବରେ ଥିବା ଏସଡିଓଙ୍କ ନାମରେ ବିଭାଗୀୟ ଅଧିକାରୀ ଦୁଇ ଦୁଇଟି ଡ୍ରାଫ୍ଟଚାର୍ଜ କରି ନିିରବରେ ବସିଛନ୍ତି। ଏଠାକାର ମହାଦୁର୍ନୀତିର ଖୁଲାସା ହୋଇଥିଲେ ବି ଉଚ୍ଚ ପଦାଧିକାରୀଙ୍କ ନିରବତା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର