ଓକିଲଙ୍କୁ ମାଡ଼ ମାରି ହରଡ଼ଘଣାରେ ଚଣ୍ଡିଖୋଲ ଟ୍ରାଫିକ ଥାନାର ଇନ୍ସପେକ୍ଟର

ଯାଜପୁର : ଆଇନଜୀବୀ ଉଦୟନାଥ ସାହୁଙ୍କ କାର୍ ଉପରେ ମୋଟା ଅଙ୍କର ଚାଲାଣ କାଟିବାର ଭୟ ଦେଖାଇ ତାଙ୍କୁ ଦଶହରା ବଟି ଏକ ହଜାର ଟଙ୍କା ମାଗିବା ଏବଂ ପ୍ରତିବାଦ କରିବାରୁ ତାଙ୍କୁ ଚଣ୍ଡିଖୋଲ ଟ୍ରାଫିକ ଇନିସ୍ପେକ୍ଟର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ନିର୍ଣ୍ଣୟକ ମୋଡ଼ ନେଇଛି।

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ ମିଥ୍ୟା ଅଭିଯୋଗରେ ଆଇନଜୀବୀ ଉଦୟନାଥ ସାହୁଙ୍କ ଉପରେ ୨ହଜାର ଟଙ୍କାର ଅନଲାଇନ୍ ଚାଲାଣ କରିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଆଇଆଇସି ହୃଦାନନ୍ଦ ବେହେରାଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଇନଜୀବୀ ଶ୍ରୀ ସାହୁ ସେହି ଘଟଣାକୁ ନେଇ ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ। ତାହା ଉପରେ ଆଇଆଇସି ଶ୍ରୀ ବେହେରା ଏବଂ ତାଙ୍କ ଦୁଇ ସହଯୋଗୀ କନଷ୍ଟେବଳଙ୍କ ବିରୋଧରେ ଆଇପିସିର ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/ ୩୪ରେ ଏକ ବିଚାରଯୋଗ୍ୟ ମାମଲା ଭାବେ କୋର୍ଟ ଗ୍ରହଣ କରି ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ସମନ୍ ଜାରି କରିଥିଲେ । ଆଇଆଇସି ଶ୍ରୀ ବେହେରା ବ୍ୟକ୍ତିଗତ ହାଜରରୁ ରିହାତି ଦେବା ପାଇଁ ଦରଖାସ୍ତ କରିଥିଲେ। ଅଭିଯୋଗକାରୀଙ୍କ ଓକିଲ ପ୍ରତାପ କୁମାର ଦାସ ଯୁକ୍ତିରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ ରାୟ ଉପସ୍ଥାପନ କରି ଅଭିଯୁକ୍ତଙ୍କ ଦରଖାସ୍ତକୁ ଖାରଜ କରିବାକୁ ତଥ୍ୟ ଉପସ୍ଥାପନ କରିଥିଲେ । ସେହି ରାୟକୁ ଆଧାର କରି ଜେଏମଏଫସି ସୌମ୍ୟରଞ୍ଜନ ପୃଷ୍ଟି ଅଭିଯୁକ୍ତଙ୍କ ଦରଖାସ୍ତକୁ ଖାରଜ କରିଦେବା ସହ ଆସନ୍ତା ୨୭ ତାରିଖ ଦିନ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦେଇଛନ୍ତି।

ଅନ୍ୟପଟେ ତାଙ୍କର ଅତିରିକ୍ତ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଥିଲା ବେଳେ ଏହି ମାମଲା କାରଣରୁ ଡିସେମ୍ବର ୩୧ତାରିଖରେ ବସିଥିବା ପୁଲିସ୍ ବୋର୍ଡ ତାଙ୍କ ନାମକୁ ପଦୋନ୍ନତି ତାଲିକାରୁ ବାଦ୍ ଦେଇଥିଲେ । ଅପର ପକ୍ଷରେ ଚଣ୍ଡିଖୋଲ ଟ୍ରାଫିକ ଥାନା ଆଇଆଇସିଙ୍କ ଉପସ୍ଥିତିରେ କାର୍ଯ୍ୟରତ ଜଣେ ଓଏପିଏଫ୍ ସିପାହୀ ମନୋଜ ଦାସ ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ଶଙ୍ଖାରିଡ଼ିହ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ମଟର ତନଖି କରିବା ଆଳରେ ଜଣେ ଗାଡ଼ିଚାଳକ ଠାରୁ ବଟି ଆଦାୟ କରୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଯାଜପୁର ଏସପି ରାହୁଲ୍ ପିଆର୍ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସିପାହୀଙ୍କୁ ନିଲମ୍ବିତ କରି ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଫେରାଇ ନେଇଛନ୍ତି। ଯିଏ ବଟି ନଦେଲେ ଅବା ପ୍ରତିବାଦ କଲେ ତାଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇ ନେଇ ପରବର୍ତ୍ତୀ ସମୟରେ ସେହି ଫଟୋକୁ ବ୍ୟବହାର କରି ବିନା କାରଣରେ ସେହି ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରି ଅନଲାଇନ୍ ମାଧ୍ୟମରେ ଚାଲାଣ କରି ଲୋକଙ୍କୁ ଜରିମାନା କରୁଥିଲେ ବୋଲି ଆଇନଜୀବୀ ଶ୍ରୀ ସାହୁଙ୍କ ସମେତ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର