ଚାନ୍ଦିପୋଷ ଝିଅ ନୋଇଡ଼ାରୁ ଉଦ୍ଧାର

ରାଉରକେଲା : ପ୍ରାୟ ଦେଢ଼ ବର୍ଷ ଧରି ବନ୍ଧା ପଡିଥିବା ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷର ଯୁବତୀ ସୁଶୀଳାକୁ ଚାନ୍ଦିପୋଷ ପୁଲିସ ଦିଲ୍ଲୀ ପୁଲିସ୍‌ ସହାୟତାରେ ନୋଇଡା ରୟାଲ ପାର୍କ ଅଞ୍ଚଳରୁ ଉଦ୍ଧାର କରିଛି। ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ରୟାଲ୍‌ ପାର୍କ ଘରେ ସୁଶୀଳା ଏକ ପ୍ରକାର କ୍ରୀତଦାସୀ ଭଳି କାମ କରୁଥିଲା। ସୁଶୀଳାକୁ ଭୁଲାଇ ଦିଲ୍ଲୀରେ ବିକିଥିବା ସ୍ଥାନୀୟ ମହିଳା ଦଲାଲ୍‌ର ଜଣେ ସମ୍ପର୍କୀୟଙ୍କ ସୂଚନାକୁ ଆଧାର କରି ଚାନ୍ଧିପୋଷ ଥାନା ପୁଲିସ ୩ ଦିନ ତଳେ ସୁଶୀଳଙ୍କ ମା’ ଅନିତା, ଦଲାଲଙ୍କ ସମ୍ପର୍କୀୟଙ୍କୁ ନେଇ ଦିଲ୍ଲୀ ଯାଇଥିଲା। ସେମାନେ ନୋଇଡାରେ ପହଞ୍ଚିବା ପରେ ସ୍ଥାନୀୟ ଥାନା ପୁଲିସ ସହାୟତାରେ ସୁଶୀଳାଙ୍କୁ ରୟାଲ ପାର୍କସ୍ଥିତ ଆୟ କର ଅଧିକାରୀଙ୍କ ଘରେ ଠାବ କରିଥିଲେ। ତେବେ ସେମାନେ ରୟାଲ୍‌ ପାର୍କସ୍ଥିତ ନିର୍ଦ୍ଦିଷ୍ଟ ଘରେ ପହଞ୍ଚିଲା ବେଳକୁ ଆୟ କର ଅଧିକାରୀ ନଥିଲେ। ସୁଶୀଳାକୁ ଆଣିବାକୁ ଯାଇଥିବା ପୁଲିସ, ତାଙ୍କ ମା’ ଓ ଦଲାଲଙ୍କ ସମ୍ପର୍କୀୟଙ୍କୁ ଆୟ କର ଅଧିକାରୀଙ୍କ ପତ୍ନୀ ଗାଳିଗୁଲଜ କରିଥିଲେ। ସୁଶୀଳାଙ୍କ ବକେୟା ଦରମା ବାବଦରେ ସେ ଟଙ୍କାଟିଏ ବି ଦେଇନଥିଲେ।

ସୁଶୀଳାଙ୍କ ମା’ ଅନିତା ନୀତା ସ୍ଥାନୀୟ ଥାନାରେ ଆୟକର ଅଧିକାରୀ ପତ୍ନୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିବା ସମାଜସେବୀ ଚାନ୍ଦମଣି ସାଣ୍ଡିଲ ‘ସମ୍ବାଦ’କୁ କହିଛନ୍ତି। ତାଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ଦଲାଲ୍‌ ଚାନ୍ଦିପୋଷ ଅଞ୍ଚଳରୁ ପାଖପାାଖି ୪୦ ଜଣ ଝିଅ ଚାଲାଣ କରିଛି। ସେମାନଙ୍କ ପରିବାର ଲୋକେ ଚାନ୍ଦିପୋଷ ଥାନାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।

ସମ୍ବନ୍ଧିତ ଖବର