ଚାନ୍ଦିପୁର : ବାତ୍ୟା ‘ୟାସ୍’ର ପ୍ରଭାବ ଯୋଗୁ ସାମୁଦ୍ରିକ ଜୁଆର ମାଡ଼ରେ ଚାନ୍ଦିପୁର ବେଳାଭୂମିର କଂକ୍ରିଟ୍ ବେସ୍ଟି ଦବିଯାଇଛି। ବହୁ ସମୟ ଧରି ଏହି ବନ୍ଧରେ ଜୁଆର ମାଡ଼ ହେବା ଫଳରେ କଂକ୍ରିଟ ତଳେ ଥିବା ବାଲି ସବୁ ଧସିଯାଇଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ସମୁଦ୍ର ଜୁଆର ବାଲେଶ୍ବର ସଦର ବ୍ଲକ ଚାନ୍ଦିପୁର, କଷାଫଳ ସମେତ ବାହାନଗା, ଭୋଗରାଇ, ବାଲିଆପାଳ ପ୍ରଭୃତି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବିଶେଷକରି ସମୁଦ୍ରର ଲୁଣି ଜୁଆର ଜନବସତି ଆଡ଼କୁ ମାଡ଼ି ଯାଇଥିବାବେଳେ ଲୋକଙ୍କ ଘରଦ୍ବାର ନଷ୍ଟ ହେବା ସହ ଚିଙ୍ଗୁଡ଼ି ଘେରି ଏବଂ ଚାଷ ଏକପ୍ରକାର ଉଜୁଡ଼ି ଯାଇଥିବା ଦେଖାଯାଇଛି।
ସେହିପରି ଚାନ୍ଦିପୁର ସମୁଦ୍ର କୂଳକୁ ଲାଗିଥିବା ହୋଟେଲଗୁଡ଼ିକ ମଧ୍ୟ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ସମୁଦ୍ରପତ୍ତନ ଠାରୁ ୧୦ଫୁଟ ଉପରେ ରହିଥିଲେ ମଧ୍ୟ ହୋଟେଲଗୁଡ଼ିକରେ ପାଣି ପଶିଯାଇଥିଲା। ସେହିପରି ପ୍ରତିରକ୍ଷା ବିଭାଗର ଡିଆରଡିଓ ପରିସରରେ ମଧ୍ୟ ବହୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ‘ଗ୍ରାଉଣ୍ଡଜିରୋ’ରେ ପହଞ୍ଚି ଚାନ୍ଦିପୁରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/chandipur.jpg)