ଚାନ୍ଦିପୁର ତଥ୍ୟ ଚୋରି ମାମଲା: ୟୁକେ ନମ୍ବର ଖୋଜିବ ଇଣ୍ଟରପୋଲ୍

ଚାନ୍ଦିପୁର ଆସିଥାନ୍ତା ପାକିସ୍ତାନୀ ପ୍ରେମିକା
୭ ଫେସ୍‌ବୁକ ଆକାଉଣ୍ଟ୍‌ରୁ ବିଛାଇ ଥିଲା ମାୟାଜାଲ

କଟକ : ଅନ୍ତର୍ଜାତୀୟ ସ୍ତରରେ ଆପରାଧିକ ମାମଲାରେ ଦେଶର ପୁଲିସ ବିଭାଗକୁ ସହଯୋଗ କରୁଥିବା ପୁଲିସ ସଂସ୍ଥା ଇଣ୍ଟରପୋଲ୍ ମାଧ୍ୟମରେ ୟୁକେରୁ ଆସିଥିବା ଫୋନ୍ ନମ୍ବରର ଅସଲ ମାଲିକଙ୍କୁ ଚିହ୍ନଟ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଗୃହ ମନ୍ତ୍ରାଳୟ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ୍ ସହାୟତାରେ ୟୁକେର ଯେଉଁ ନମ୍ବରରୁ ଫୋନ୍ କଲ୍ ଆସିଥିଲା, ଉକ୍ତ ନମ୍ବରର ସର୍ଭିସ୍ ପ୍ରୋଭାଇଡର୍ ନିକଟରେ ପହଞ୍ଚିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ଏହି ନମ୍ବରର ସିଡିଆର୍ ସହିତ ନିର୍ଦ୍ଦିଷ୍ଟ ଲୋକେସନ୍, ଫୋନ୍ କରିଥିବା ବ୍ୟକ୍ତିର ପରିଚୟ ଜାଣିବା ପାଇଁ ସମସ୍ତ ଉଦ୍ୟମ ମନ୍ତ୍ରାଳୟ ମାଧ୍ୟମରେ ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଚୋରି ମାମଲାରେ ପରଦା ପଛର କାର୍ପଟଦାର୍ ବସନ୍ତ ବେହେରା ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହିତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ମହିଳା ଏଜେଣ୍ଟ ବିବାହ କରିବାକୁ ନିଷ୍ପତ୍ତି ସୂଚନା ପରେ ଆହୁରି ରୋଚକ ତଥ୍ୟ ସାମନାକୁ ଆସୁଛି। ବସନ୍ତ ଯେଉଁ ଯୁବତୀ ସହିତ କଥା ହେଉଥିଲା ସମ୍ପୃକ୍ତ ଯୁବତୀ ଲଣ୍ଡନ ଲିଭରପୁଲ୍‌ ସହରରେ ଡିଫେନ୍ସ ଷ୍ଟଡି କରୁଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଗୋଳାବାରୁଦ ଗୋଦାମର ଅବସ୍ଥିତି ସମ୍ପର୍କରେ ଜାଣିବାକୁ ପ୍ରବଳ ଇଚ୍ଛା ଥିବାରୁ ସେ ସମ୍ପର୍କରେ ସୂଚନା ଦେବାକୁ ବସନ୍ତକୁ କହିଥିଲା। ପ୍ରେମ ଜାଲରେ ଫସି ଯାଇଥିବା ବସନ୍ତ କିନ୍ତୁ ପାକିସ୍ତାନୀ ବିଷକନ୍ୟାର ମାୟାଜାଲକୁ ବୁଝି ନପାରି ଗୋପନୀୟ ତଥ୍ୟ ବିକ୍ରି କରିଛି। ଏମାନଙ୍କ ସହିତ ୨୦୨୦ ଫେବ୍ରୁଆରି ପରଠାରୁ ହ୍ବାଟସଆପରେ ଭିଡିଓ କଲ୍ କରି କଥା ହେଉଥିଲେ। ଆଉ ଜଣେ ଆଇଟିଆର୍ କର୍ମଚାରୀଙ୍କ ଚାନ୍ଦିପୁର ଘରକୁ ଆସିବାକୁ ବି କଥା ଦେଇଥିଲା ପାକିସ୍ତାନୀ ମହିଳା ଏଜେଣ୍ଟ। କିନ୍ତୁ କୌଣସି କାରଣରୁ ଆସି ନଥିଲା।

ଏହି ମହିଳା ମୁଖ୍ୟତଃ ଚାଟିଂରେ ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ବାଟସଆପ୍ ବ୍ୟବହାର କରୁଥିଲା। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ମହିଳା ହିନ୍ଦୀରେ ଅଭିଯୁକ୍ତଙ୍କ ସହିତ କଥାବାର୍ତ୍ତା କରୁଥିଲେ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ। ଫେସବୁକ୍‌ରେ ମୋଟ ୭ଟି ଆକାଉଣ୍ଟ୍‌ରୁ ମହିଳା ଯୋଗାଯୋଗ କରିଥିଲେ। ବିଭିନ୍ନ ଆକାଉଣ୍ଟରେ ବିଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ। ଦୁବାଇରୁ ଯେଉଁ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ନିକଟକୁ ଟଙ୍କା ଆସିଥିଲା, ସେ ସମ୍ପର୍କରେ ଜାଣିବାକୁ ପ୍ରୟାସ ଜାରି ରହିଛି। ଅଭିଯୁକ୍ତମାନେ ଆଉ କେଉଁ ମାଧ୍ୟମରେ ଟଙ୍କା ପାଇଛନ୍ତି, ସେ ନେଇ ତଦନ୍ତ ଜାରି ରହିଛି। ମହିଳାଙ୍କ ୟୁକେ ନମ୍ବର ଡିଟେଲ୍ ଜାଣିବା ପାଇଁ ତଦନ୍ତ ହେଉଛି। ମହିଳାଙ୍କ ପ୍ରକୃତ ପରିଚୟ ଏବଂ ସେ କେଉଁଠାରେ ରହୁଛନ୍ତି ସେ ନେଇ ତଦନ୍ତ କରାଯାଉଥିବା ଏଡିଜି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର